ଭକ୍ତମାନଙ୍କୁ ସଚେତନତା କରାଇଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି
ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀଙ୍କ ଚୈତ୍ୟ ମଙ୍ଗଳବାର ଯାତ୍ରା ଚାଲିଛି । ଏହି ଅବସରରେ ମାଁଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ବାହାର ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଲାଗି ରହିଛି । ହେଲେ ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ିଥିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ପୂର୍ବରୁ ତାରାତାରିଣୀଙ୍କ ପୀଠକୁ ନେଇ ଏକାଧିକ କଟକଣା ଜାରି କରାଯାଇଥିବା ବେଳେ ରବିବାର ଜିଲ୍ଲାପାଳ ଆଉ ଏକ କଡ଼ା ପଦକ୍ଷେପ ନେଇଛନ୍ତି । କେବଳ ସ୍ଥାନୀୟ ଜନସାଧାରଣ ହିଁ ତାରାତାରିଣୀ ପୀଠକୁ ମାଁଙ୍କ ଦର୍ଶନ ପାଇଁ ଯାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ଯେ ଆସନ୍ତା ମାଁ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ପର୍ବ ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯିବା ସହ ପୂର୍ବରୁ ଯେପରି ପୁଲିସ ଅଧିକାରୀମାନେ ମୁତୟନ ହେଉଥିଲେ ସେହି ଅନୁସାରେ ୩ ଏଏସପି ଙ୍କ ସମେତ ବହୁ ପୁଲିସ ଅଧିକାରୀମାନେ ଏହି ପର୍ବରେ ମୁତୟନ ହୋଇ କୋଭିଡ୍ ନିୟମ, ସାମାଜିକ ଦୂରତା ଉପରେ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି । ତୃତୀୟ ମଙ୍ଗଳବାର ପର୍ବ ରେ କେବଳ ପୁରୁଷୋତମପୁର ବ୍ଲକ୍ ଓ ଏନଏସିର ଲୋକମାନେ ଦର୍ଶନ କରିପାରିବେ ଅନ୍ୟ ଅଂଚଳର ଲୋକଙ୍କୁ ବାରଣ କରାଯାଇଛି । ଏହା ସହ ସମସ୍ତେ ଭେଲିଡ୍ ପରିଚୟ ପତ୍ର ଓ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି । ମାଁଙ୍କ ପୀଠକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଗାଡ଼ିରେ କୌଣସି ଜନସାଧାରଣ ନଆଣିବା ପାଇଁ ମଧ୍ୟ କୁହାଯାଇଛି । ଏହା ସହ ଠେଲା ଗାଡ଼ି ଓ ଦୋକାନୀ ମାନେ ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ଏସପି ଶ୍ରୀ ରାଏ ଗୁୁରୁତ୍ୱାରୋପ କରିଥିଲେ । ଏଥିରେ ଯେଉଁମାନେ ଅବମାନନା କରନ୍ତି ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ସେ ଏକ ଭିଡିଓ ବାର୍ତ୍ତା ମଧ୍ୟମରେ ସୂଚନା ଦେଇଛନ୍ତି ।


