ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ଜେନା ସାହି ଗ୍ରାମର ସୁଲୋଚନା ଜେନା(୬୩)ଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଗତ ୧ ବର୍ଷ ତଳେ ସେ ଭତ୍ତା ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ । ସେ ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ସରକାରୀ ଯୋଜନାରେ ଆବାସ କିମ୍ବା ଭତ୍ତା ଏପର୍ଯ୍ୟନ୍ତ ପାଇପାରିନାହାନ୍ତି । ସରକାରୀ ସହାୟତା ଭାବେ ପରିବାରର ୩ ଜଣଙ୍କୁ ରାସନ୍ ସାମଗ୍ରୀ ମିଳୁଛି । ତାଙ୍କର ଏକ ମାତ୍ର ଝିଅକୁ ଧାରକରଜ କରି ବିବାହ ଦେଇଛନ୍ତି । ଏବେ ପୁଅର ବୟସ ମାତ୍ର ୧୭ ବର୍ଷ । ସୁଲୋଚନା ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ପ୍ରାୟ ୨ ବର୍ଷ ତଳେ କାର୍ଯ୍ୟ କରୁଥିବା ବେଳେ ତଳେ ପଡି ଯିବାରୁ ଅଣ୍ଟାରେ ଆଘାତ ଲାଗି ଥିଲା । ଜମିବାଡି ବିକ୍ରି କରି ଚିକିତ୍ସା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହାନ୍ତି । ଅଣ୍ଟାରେ ଅସ୍ତ୍ରୋପଚାର ହୋଇଥିବାରୁ ସେ ଠିକ୍ସେ ଚାଲି ପାରୁନାହାନ୍ତି । ଔଷଧ ଖାଇବା ପାଇଁ ପାଖରେ ଅର୍ଥ ନାହିଁ । ବାର୍ଦ୍ଧକ୍ୟ ଯୋଗୁ ସ୍ୱାମୀ କୌଣସି କାମ କରି ପାରୁନାହାନ୍ତି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ସେ ଭଲ ହୋଇପାରନ୍ତେ ବୋଲି କହିଛନ୍ତି ।