ଶାହାରୁଖ୍ଙ୍କ ପ୍ରଶଂସାରେ ଶତମୁଖ ସଲମାନ୍
ବଲିଉଡର “କିଙ୍ଗ୍ ଖାନ୍’ ଶାହାରୁଖ୍ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି “ଦବଙ୍ଗ୍ ଖାନ୍’ ସଲମାନ୍, ତାହା ପୁଣି ନିଆରା ଅନ୍ଦାଜରେ । ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶାହାରୁଖଙ୍କର ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ଭିଡିଓଟିରେ “ହାପି ନ୍ୟୁ ଇୟର’ ଫିଲ୍ମର ଏକ ସିନ୍ ରହିଛି । ଏଥିରେ ଶାହାରୁଖଙ୍କ ଦେହରେ ନିଆଁ ଲାଗିଛି । ହେଲେ ସେ ବେଫିକର୍ ଅଛନ୍ତି । ତେବେ କଥାଟି ଏଇଠି ସରିଯାଇନି । ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ସଲମାନ୍ ଭଏସ୍ ଦେଇ କହିଛନ୍ତି, “ହିରୋ ସିଏ ଯିଏ ନିଆଁକୁ ଡେଇଁ ତାକୁ ଲିଭାଇ ଜୀବନ ବଞ୍ଚାଏ ।’ ସଲମାନ୍ଙ୍କ ଏହି ପୋଷ୍ଟକୁ ଶାହାରୁଖଙ୍କ ଫ୍ୟାନ୍ଙ୍କ ସମେତ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି । ତେବେ ସଲମାନ୍ କାହିଁକି ଏମିତି ଢଙ୍ଗରେ ଶାହାରୁଖ୍ଙ୍କୁ ପ୍ରଶଂସା କଲେ? କ’ଣ ସେହି ସିନ୍ ପାଇଁ? କିନ୍ତୁ ଫିଲ୍ମଟି ତ ବହୁତ ପୁରୁଣା? ପୁଣି ଫିଲ୍ମର ସିନକୁ ନେଇ ଏତେ ପ୍ରଶଂସା କରିବାର କ’ଣ ଅଛି? ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । କଥାଟା ଆମେ ଖାଲି କହି ଦେଉଛୁ । ଆପଣମାନେ ତ ଜାଣିଥିବା କିଛି ଦିନ ତଳେ ଅମିତାଭ ବଚ୍ଚନ ଘରେ ଦୀପାବଳି ପାର୍ଟିର ଆୟୋଜନ କରାଯାଇଥିଲା । ଏଥରେ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା । ତେବେ ଶାହାରୁଖଙ୍କ ଯୋଗୁ ସେ ରକ୍ଷା ପାଇଯାଇଥିଲେ । ନ ହେଲେ ତାଙ୍କ ଶରୀରର ଆହୁରି ଅଧିକ ଭାଗ ପୋଡ଼ି ଯାଇଥା’ନ୍ତା । ଶାହାରୁଖ୍ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ନିଜ ଜ୍ୟାକେଟକୁ ତାଙ୍କ ଲେହେଙ୍ଗା ଉପରେ ପକାଇ ଦେଇଥିଲେ । ଫଳରେ ଲେହେଙ୍ଗାରୁ ନିଆଁ ଲିଭିଯାଇଥିଲା । ଏହି ଘଟଣାରେ ଅର୍ଚ୍ଚନାଙ୍କ ହାତ ଓ ଗୋଡ଼ ଜଳି ଯାଇଛି । ଅର୍ଚ୍ଚନାଙ୍କୁ ବଞ୍ଚାଇବା ସମୟରେ ଶାହାରୁଖ୍ଙ୍କ ହାତ ମଧ୍ୟ ହାଲକା ଜଳି ଯାଇଛି । ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଅର୍ଚ୍ଚନାଙ୍କ ଶରୀରର ୧୫ ଭାଗ ପୋଡ଼ି ଯାଇଛି । ଏ ଘଟଣା ପରେ ସମସ୍ତେ ଶାହାରୁଖଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ବି-ଟାଉନରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ପ୍ରଥମେ ଫାରହା ଖାନ୍ ଟ୍ୱିଟ୍ କରି ଏସମ୍ପର୍କିତ ସୂଚନା ଦେବା ସହ ଶାହାରୁଖଙ୍କର ପ୍ରଶଂସା କରିଥିଲେ । ଏହା ପରେ ଅନ୍ୟମାନଙ୍କ ସହିତ ଭାଇଜନ୍ ସଲମାନ୍ ମଧ୍ୟ ତାଙ୍କର ଏତାଦୃଶ୍ୟ କାର୍ଯ୍ୟରେ ଫିଦା ହୋଇଯାଇଥିଲେ । ସେଥିପାଇଁ ଏଭଳି ଭାବେ ଭିଡିଓ ପୋଷ୍ଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି ।


