ସ୍ୱାୟତ୍ତ ଶାସନ ଦିବସ-୨୦୨୧ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୧ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାପାଳ ତଥା ପୌର ପ୍ରଶାସକ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉଦ୍ବୋଧନରେ ସହରବାସୀଙ୍କୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସହରକୁ ଏକ ସ୍ୱଚ୍ଛ, ପରିମଳ ମୁକ୍ତ ଏବଂ ବାହ୍ୟ ମଳମୁକ୍ତ ସହର ଭାବେ ପରିଗଣିତ କରିବା ପାଇଁ ଅହ୍ୱାନ ଦେଇଥିଲେ । ପାରଳା ପୌରପରିଷଦକୁ ଏକ ସୁନ୍ଦର ଆଦର୍ଶ ପୌରପରିଷଦ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଉପସ୍ଥିତ ରହି ପାରଳାଖେମୁଣ୍ଡି ସହର ବାସିନ୍ଦାଙ୍କୁ ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସର୍ବାଧିକ ମୌଳିକ ସୁବିଧା ସୁଯୋଗ କାର୍ଯ୍ୟକାରିତା ହେଉଥିବା ଏବଂ ହୋଇଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ, ପୌର ପରିଷଦର ଲକ୍ଷ୍ୟ ଓ ସଫଳତା କାରଣ ପ୍ରଭୃତି ସମ୍ପର୍କରେ ମତବ୍ୟକ୍ତ କରି ସହରବାସୀଙ୍କ ସହଯୋଗ କାମନା କରିଥିଲେ । ଏହା ସହ ୨୦୨୦-୨୧ର ପ୍ରଗତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ସହରର ବିଭିନ୍ନ ପ୍ରକଳ୍ପ ଯଥା ଭକ୍ତକବି ଗୋପାଳକୃଷ୍ଣ ପାଠାଗାରର ନବକଳେବର କରାଯାଇ ଅତ୍ୟାଧୁନିକ ଇ-ପାଠାଗାର, ନ୍ୟୂଜରୁମ୍ ହୋଇ ନୂତନ କୋଠା କାମ ସମ୍ପୂର୍ଣ୍ଣ ହୋଇ ଲୋକାର୍ପିତ ହୋଇଯାଇଛି । ପୌରପରିଷଦ ମଧ୍ୟରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସହ ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ସହ ‘ମୁକ୍ତା’ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ୧୩୯ ଗୋଟି ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ଶେଷ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୯୭ ଗୋଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ, ‘ମୁକ୍ତା’ ଯୋଜନାରେ ସରକାରୀ କାନ୍ଥ ଗୁଡିକରେ ବିଭିନ୍ନ ଚିତ୍ର କରାଯିବା ଆଦି ସମ୍ପୂର୍ଣ୍ଣ ହୋଇଥିବା ବେଳେ ପୁରୁଣା କୋର୍ଟ ଛକଠାରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟକରଣ, ପଟ୍ଟନାୟକ ପୋଖରୀର ନବୀକରଣ ଆଦି କାର୍ଯ୍ୟ ଚାଲୁ ରହିଛି । ସେହିପରି ପ୍ରସ୍ତାବିତ ପ୍ରକଳ୍ପ ସମୂହରେ ରାମ ନଗର ଠାରେ ସ୍ମାର୍ଟ ଶ୍ନଶାନ ଘାଟ, ନୂତନ ଟାଉନ ହଲ ତଥା ଅଡିଟୋରିୟମର ନିର୍ମାଣ, ଶଙ୍କୁରି ବନ୍ଧ କମ୍ପେ୍ଲକ୍ସ ଆଦି ଭଳି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀପଣ୍ଡା ପୌରପରିଷଦର ଉଲ୍ଲେଖନୀୟ ସେବା କାର୍ଯ୍ୟ ଯୋଗାଇ ଥିବା ଟିକସ ଆଦାୟକାରୀ ଆଲିୟା ଶବର, ଚପରାଶି ବାଲ୍ମିକୀ ବାରିକ, ଝାଡୁଦାର ଏମ୍.ସିମ୍ମାଞ୍ଚଳ ପ୍ରମୁଖଙ୍କୁ ସମ୍ମାନୀତ କରିଥିଲେ । ପୌରପରିଷଦର ସହକାରୀଯନ୍ତ୍ରୀ ସଞ୍ଜୀବ ଚମ୍ପତ୍ତିରାୟ, କନିଷ୍ଠ ଯନ୍ତ୍ରୀ ଏମ୍.ଯୁଧିଷ୍ଠିର ପ୍ରମୁଖ ପରିଚାଳନା କରିଥିବା ବେଳେ ପୌର ପରିଷଦର ସମସ୍ତ କର୍ମଚାରୀ ଓ ସହରର ମାଣ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।


