ପାଇଖାନା ଘରେ ୧୦ ବର୍ଷ : କେତେ ସତ୍ୟ ଓ କେତେ ମିଥ୍ୟା

ପୋଲସରା (ଅନିଲ ମହାରଣା): ମନେ ପଡୁଛି, ଥରେ ଏକ ଟିଭି ଚ୍ୟାନେଲରେ ଆଦିବାସୀ ଲୋକେ ପଥର ଗୁଣ୍ଡ ଖାଉଥିବା ପ୍ରସାରଣ ହୋଇଥିଲା, ହେଲେ ତାହା ଥିଲା ସମ୍ପୂର୍ଣ ମିଥ୍ୟା। ସେହିପରି ବର୍ତ୍ତମାନ କେତକ ଗଣ ମାଧ୍ୟମରେ ଜୋରଦାର ପ୍ରଚାର ହୋଇଛି, ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତର ଦେଉଳ ପଲ୍ଲୀ ଗ୍ରାମର ସତ୍ୟବାନ ପ୍ରଧାନଙ୍କ ପରିବାର ୧୦ ବର୍ଷ ହେଲା ରହିଛନ୍ତି ପାଇଖାନା ଘରେ। ଇନ୍ଦିରା ଆବାସ, ବିଜୁ ପକ୍କା ଘର ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସତ୍ୟବାନଙ୍କ ପରିବାରକୁ ମିଳିନାହିଁ ପକ୍କା ଘର ଖଣ୍ଡେ । ପକ୍କା ଘର ନମିଳିବା ନିରାଟ ସତ୍ୟ ଉପରେ ଆଧାରିତ, ମାତ୍ର ତାଙ୍କ ପରିବାର ୧୦ ବର୍ଷ ହେଲା ପାଇଖାନା ଘରେ ରହୁଥିବା ବେଳେ ବିଧାୟକ, ସରପଞ୍ଚ ଓ ବିଡ଼ିଓ କାହାରି ମଧ୍ୟ କିପର ଦୃଷ୍ଟି ପଡି ପାରିଲା ନାହିଁ ଲାଗିଲା ଆଶ୍ଚର୍ଯ୍ୟ। ସେଥିପାଇଁ ପ୍ରଶାସନିକ ଅଧିକାରୀ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସହ ହୋଇଥିଲା ଯୋଗାଯୋଗ। ସେ କହିଲେଯେ ସତ୍ୟବାନ ପ୍ରଧାନଙ୍କ ନାମ ଦେଉଳ ପଲ୍ଲୀର ଭୋଟର ତାଲିକାରେ ଥିବା ବେଳେ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ତାଲିକାରେ ମଧ୍ୟ ଅଛି ତାଙ୍କର ନାମ। ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଓ ସମିତି ସଭ୍ୟ ସୁଶୀତ କୁମାର ସାହୁ ମଧ୍ୟ ସତ୍ୟବାନ ପ୍ରଧାନ ଇନ୍ଦିରା ଆବାସ ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଦୁହେଁ ହୋଇପାରିନଥିଲେ ସଫଳ। ଯେହେତୁ ସତ୍ୟବାନ ପ୍ରଧାନ ଦେଉଳ ପଲ୍ଲୀରେ ଥିବା ନିଜର ବାସଗୃହ କୁ ବିକ୍ରି କରିଛନ୍ତି ଅନ୍ୟ ଜଣଙ୍କୁ। ବର୍ତ୍ତମାନ ସତ୍ୟବାନ ରହିଥିବା ଜାଗା ରହିଛି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ । ଏନଏସି ପରିସରରେ ଥିବା ସତ୍ୟବାନଙ୍କ ଜାଗାରେ ଆବାସ ଗୃହ ନିର୍ମାଣ ପାଇଁ ଅର୍ଥ ଦେଇପାରିବେ ନାହିଁ ବ୍ଲକ କର୍ତ୍ତୃପକ୍ଷ। ସେଥିପାଇଁ ନିଜର ଭୋଟ କାର୍ଡ ଓ ଆଧାର କାର୍ଡ ପରିବର୍ତ୍ତନ କରି ପୋଲସରା ଏନଏସିରେ ନାମ ପଞ୍ଜିକୃତ କରିବାବୁ ଦିଆଯାଇଥିଲା ପରାମର୍ଶ। ହେଲେ ସତ୍ୟବାନ ସେଥିପାଇଁ କରିନାହାଁନ୍ତି ଚେଷ୍ଟା। ପୋଲସରା ଏନଏସିରେ ନାମ ପଞ୍ଜିକରଣ କରାଯାଇଥିଲେ ହୁଏତ ମିଳିପାରିଥାନ୍ତା ପକ୍କା ଗୃହ। ଯେହେତୁ ବର୍ତ୍ତମାନର ସ୍ଥିତିରେ ସେ ପକ୍କା ବାସ ଗୃହ ପାଇବାକୁ ନିଶ୍ଚିତ ହୋଇଥାନ୍ତେ ଯୋଗ୍ୟ। ଅତଏବ ପକ୍କା ଘର ପାଇବା ପାଇଁ ଭୁଲ କରି ନାହାଁନ୍ତି ପୋଲସରା ବ୍ଲକ ପ୍ରଶାସନ। ବର୍ତ୍ତମାନ ଯେଉଁ ପ୍ରାୟ ୧୦ ଫୁଟର ଲମ୍ବ ଘରେ ସତ୍ୟବାନଙ୍କ ପରିବାର ରହୁଛନ୍ତି ସେଥିରେ ନାହିଁ କୌଣସି ପାଇଖାନାର ଚିହ୍ନବର୍ଣ୍ଣ । ତାହା ଏକ ଗୃହ ଅଟେ, ପାଇଖାନା ନୁହେଁ। ଅବଶ୍ୟ ଘର ଆଗରେ ହଳଦିଆ ରଙ୍ଗ ଉପରେ ୧୨ ହଜାର ଟଙ୍କାର ପାଇଖାନା ଘର ବୋଲି ଲେଖା ଯାଇଛି। ବୈଦୁତିକ ଗଣମାଧ୍ୟମରେ କେବଳ ଘରର ଦ୍ୱାର ମୁହଁରେ ଜଣେ ବୃଦ୍ଧାଙ୍କ ଶୋଇଥିବା ଓ ଘର ଆଗରେ ଲେଖା ଯାଇଥିବା ପାଇଖାନା ନାମକୁ ବାରମ୍ବାର ଦେଖାଉଥିବା ବେଳେ ଘର ଭିତର ଦୃଶ୍ୟ ନଦେଖାଇବା ସନ୍ଦେହ ଘେରକୁ ଆସିଯାଉଛି। ଯଦି ଘର ଭିତର ଦୃଶ୍ୟ ଦେଖାଇଥାନ୍ତେ ତେବେ ତାହା ପାଇଖାନା ଘର ନା ରହିବା ଘର ଜଣାପଡ଼ିଥାନ୍ତା। ପାଇଖାନା ନଥିବା ଏକ ଘରର ସମ୍ମୁଖରେ ପାଇଖାନା ଘର ଲେଖା ଥିବା ଦୃଶ୍ୟକୁ ଦେଖାଇ ପାଇଖାନାରେ ୧୦ ବର୍ଷ ରହୁଥିବା କହିବା କେତେ ସତ୍ୟ ଉପରେ ଆଧାରିତ ବିଚାର କରିବେ ଜନସାଧାରଣ। ସତ୍ୟବାନ ପ୍ରଧାନ ଆବାସ ଯୋଜନାରେ ପକ୍କା ଗୃହ ପାଇବା ପାଇଁ ଯୋଗ୍ୟ, ଏଥିରେ ଦ୍ବିମତ ନାହିଁ। ମାତ୍ର ବିଧାୟକ, ବିଡ଼ିଓ, ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କାହାର ମତ ନନେଇ କେବଳ ସତ୍ୟବାନଙ୍କ ବାଇଟ ନେଇ ୧୦ ବର୍ଷ ପାଇଖାନା ଘରେ ରହୁଥିବା ଖବର ପ୍ରସାର କରିବା ଆଦିବାସୀ ଲୋକ ପଥର ଗୁଣ୍ଡ ଖାଇବା ପସାର ହୋଇଥିବା ଖବର ଭଳି ସତ୍ୟ ନୁହେଁତ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ