ସରକାରୀ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଜନୈକ ସରକାରୀ କର୍ମଚାରୀ ନିଜର ଚାକିରୀ ସର୍ତ୍ତାବଳୀକୁ ଖୁଲମଖୁଲା ଏଡାଇ ଯାଇଥିବାର ନଗ୍ନନମୁନା ଦେଖିବାକୁ ମିଳିଛି ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ଓଝା ବିନା ଅନୁମତିରେ ଓଳାଭର ଯୁବକ ସଙ୍ଘର ସାଧାରଣ ସମ୍ପାଦକ ଥିବାର ଅଭିଯୋଗ ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ପୂର୍ବକ ସଂପୃକ୍ତ କର୍ମଚାରୀଙ୍କୁ ଯୁବକ ସଙ୍ଘ ପଦବୀରୁ ତୁରନ୍ତ ଇସ୍ତଫା ପାଇଁ ଗତ ୧୪ତାରିଖରେ ନିର୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେହି କର୍ମଚାରୀ ଜଣଙ୍କ ଇସ୍ତଫା ପ୍ରଦାନ କରିନଥିବା ଘଟଣା ସରକାରୀ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଥିସହିତ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଟାଳଟୁଳ ନୀତି ସନ୍ଦେହ ଘେରକୁ ଆସିଯାଇଛି । ଅନ୍ୟପକ୍ଷରେ ସଂପୃକ୍ତ କର୍ମଚାରୀ ଜଣଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ରବିବାର କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଏକ ସଭା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିରବତାକୁ ସାଧାରଣରେ ନାପସନ୍ଦ କରାଯାଇଛି । ସଂପୃକ୍ତ କର୍ମଚାରୀ ଏହି ଇସ୍ତଫା ଦେବା ନିର୍ଦେଶକୁ ନେଇ ଜିଲ୍ଲା ଶିକ୍ଷା ବିଭାଗର ଜନୈକ କର୍ମଚାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଉଠାଇ ନେବାକୁ ଧମକ ଦେବା ଭଳି ଘଟଣା ବିରୋଧରେ ସଂପୃକ୍ତ କର୍ମଚାରୀଙ୍କ ପ୍ରତି ଜିଲ୍ଲା ଶିକ୍ଷା ବିଭାଗ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି । ଏସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କୁ ପଚରାଯିବାରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଖୁବଶୀଘ୍ର ବିଭାଗ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।