ସପ୍ତମୀ ପୂଜା ସହିତ ଧରାବତରଣ କଲେ ମା ସିଂହବାହିନୀ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କୋଭିଡ କଟକଣା ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ସପ୍ତମୀ ପୂଜା ସହିତ ଧରାବତରଣ କରିଛନ୍ତି ମା ସିଂହ ବାହିନୀ । ବ୍ଲକର ସରସଦା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଷଷ୍ଠୀ ତିଥିରେ ବେଲବରଣୀ ପରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା । ଗାଁ ପୁଷ୍କରିଣୀରେ ଘଟସ୍ଥାପନା ପରେ ପୂଜକ ପୂଜା ମଣ୍ଡପରେ ବୈଦିକି ବିଧିମତେ ମାଆଙ୍କୁ ଆବାହନ କରିଥିଲେ। ସେହିଭଳି ନିର୍ଗୁଣ୍ଡି, ନାଗାପାଳ, ହାଟସାହି ଓ କୁଣ୍ଡସାହି ଠାରେ ମଧ୍ୟ ପୂଜା କମିଟି ପକ୍ଷରୁ ମାଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଛି। ଭଣ୍ଡାରିପୋଖରୀ ବଜାର ଥାନା ଛକ ଦୁର୍ଗା ମଣ୍ଡପ ଠାରେ ପ୍ରାତଃ ସୂର୍ଯ୍ୟ ପୂଜା ସହିତ ପଞ୍ଚ ଦେବତା, ଗଣେଶ, କାର୍ତ୍ତିକ, ନବଗ୍ରହ, କୁଣ୍ଡ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମା ଦଶଭୂଜାଙ୍କୁ ବୈଦିକି ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଛି। ପୂଜକ ନରନାରାୟଣ ମିଶ୍ର ଓ ସୁରେନ୍ଦ୍ର ଦାସ ସପ୍ତମୀ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ସଂକଳ୍ପ କର୍ତ୍ତା ଭାବେ ସନ୍ତୋଷ ନାୟକ ଓ ଝରଣା ନାୟକ ଦାୟିତ୍ୱ ତୁଲାଇଥିଲେ।ଅନୁରୂପ ଭାବେ ପାଟୁଳି, ଜୋରାଗଡ଼ିଆ ଠାରେ ମଧ୍ୟ ମାଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି।


