ପୂଜ୍ୟପୂଜା ସଂସଦ ପକ୍ଷରୁ ମହତାବଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ପୂଜ୍ୟପୂଜା ସଂସଦ, ଡ.ହରେକୃଷ୍ଣ ମହତାବ ସ୍ମୃତି କମିଟି ଓ ସମ୍ମିଳତ ସାମ୍ବାଦିକ ସଂଘର ମିଳିତ ସହଯୋଗରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମହାନ ଜନନାୟକ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ନାରୀ ସଂଘ ଶିଶୁ ପାଠାଗାର ପରିସରରେ ଆୟୋଜିତ ସମାରୋହକୁ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ଉଦଘାଟନ କରିଥିଲେ । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ମହତାବଙ୍କ ବହିବିଧ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ନେତୃତ୍ୱ ନେବା ସାଙ୍ଗକୁ ନବ ଉତ୍କଳ ଗଠନରେ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ସେ ମତ ଦେଇଥିଲେ । ସାହିତ୍ୟିକ ତଥା ଶିକ୍ଷାବିତ ଡ.ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ମହତାବଙ୍କ କାର୍ଯ୍ୟଧାରା ଓ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଜଣେ ମହାନୁଭବୀ ଅତିମାନବ ଭାବେ ତାଙ୍କର କାର୍ଯ୍ୟଧାରା ଓ ସମାଜସେବା ଯୋଗୁଁ ସେ ଚିରସ୍ମରଣୀୟ ହୋଇପାରିଛନ୍ତି ବୋଲି କହିଥିଲେ । ଧ୍ୱନିପ୍ରତିଧ୍ୱନି ଖବର କାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ସାହିତ୍ୟ ସଂସଦର ସଭାପତି ଡ. ଭାଗବତ ପ୍ରସାଦ ଦାସ, ସମ୍ମିଳିତ ସାମ୍ବାଦିକ ସଙ୍ଗଠନର ରାଜ୍ୟ ସମ୍ପାଦକ ତପନ ମହାରଣା ଶର୍ମା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ପ୍ରଫେସର ଶତ୍ରୁଘ୍ନ ମଲିକ, ସମାଜସେବୀ ଗୋପାମୂଦ୍ରା ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରଞ୍ଜନ ବାଗ, ରତିକାନ୍ତ ପାତ୍ର, ଦେବବ୍ରତ ପାଣିଗ୍ରାହୀ, କବି ଅଭୟ ଦାସ, ଆଇନଜୀବୀ ସୁଧାଂଶୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅପର୍ଣ୍ଣା କର, ଭାବଗ୍ରାହୀ ମହାନ୍ତି, ଅଞ୍ଜଳି ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ବାଦିକ ସତ୍ୟପ୍ରିୟ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅପର୍ଣ୍ଣା ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


