‘କିଏ ସେ ଡାକୁଛି’ପୁସ୍ତକ ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନବକିଶୋର ପ୍ରଧାନଙ୍କ କବିତା ପୁସ୍ତକ ‘କିଏ ସେ ଡାକୁଛି’ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, କବି ପ୍ରଶାନ୍ତ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଗବେଷକ ଡ.ଦେବାଶିଷ ମହାପାତ୍ର, ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ କବି କାଳୀପଦ ପଣ୍ଡା ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ପ୍ରଧାନଙ୍କ ଲିଖିତ କବିତା ପୁସ୍ତକକୁ ଉନ୍ମୋଚନ କରିଥିଲେ । ବୋଧଗମ୍ୟ ଶବ୍ଦ ସଂଯୋଜନା ଓ ଭବଧାରାଯୁକ୍ତ ବିଷୟ ସମ୍ବଳିତ ଏହି କବିତା ପୁସ୍ତକ ପାଠକଙ୍କ ମନକୁ ଛୁଇଁବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବୃତ୍ତିରେ ଜଣେ ଡାକ୍ତର ହେଲେ ମଧ୍ୟ ସାହିତ୍ୟ ପ୍ରତି ଏହି ଋଚି ଆଗାମୀ ଦିନରେ ଡାକ୍ତର ପ୍ରଧାନଙ୍କୁ ଜଣେ ଖ୍ୟାତି ସମ୍ପନ୍ନ ସରସ୍ୱତ ସାଧକର ପରିଚୟ ଦେଇପାରେ ବୋଲି ସେମାନେ କହିଥିଲେ । ଡାକ୍ତର ପ୍ରଧାନ ଏଥିରେ ଉପସ୍ଥିତ ରହି ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।


