ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ ବ୍ଲକ ଅଫିସ ଘେରିବ ବିଜେଡି
ପୋଲସରା, (ଅନିଲ କୁମାର ମହାରଣା):କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ନଭେମ୍ବର ୨୪ ତାରିଖ ଦିନ ବିଜୁ ଜନତା ଦଳ ପକ୍ଷରୁ ଉଭୟ ପୋଲସରା ଓ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସହ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉଭୟ ବିଡ଼ିଓ ଙ୍କ ଜରୀଆରେ ସ୍ମାରକ ପତ୍ର ପ୍ରଦାନ କରାଯିବ। ଏହି ପ୍ରତିବାଦ ବିକ୍ଷୋଭ ବିଷୟ ନେଇ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଦିନ ପୋଲସରା ମାତୃଶକ୍ତି କଲ୍ୟାଣ ମଣ୍ଡପ ପରିସରରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ଜନତା ଦଳ ର କର୍ମକର୍ତ୍ତା, ଲୋକ ପ୍ରତିନିଧି ଓ ସକ୍ରିୟ କର୍ମୀ ସହ ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ପୋଲସରା ଓ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ସହ ଉଭୟ ବିଡ଼ିଓଙ୍କ ଜରୀଆରେ ଦେଶର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ପୋଲସରା ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ହେବା ସହ ଦ୍ଵିତୀୟରେ ବୁଗୁଡା ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପୋଲସରା ଏନଏସି ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ,ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, କେନ୍ଦୁବାଡି ସରପଞ୍ଚ ବିଜୟ ସ୍ବାଇଁ, ମୋଚିରାମ ସାହୁ, ଖଦାଳ ଖଟେଇ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା ମାଣିତରା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ରଞ୍ଜିତ ସାହୁ, ବିବେକାନନ୍ଦ ବାରିକ, ହରିହର ବିଷୋୟୀ, ମହିଳା ନେତ୍ରୀ ଝୁନୁ ଦାଶ, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ସକ୍ରିୟ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


