ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ ଧନ୍ୟବାଦ ଜଣାଇଲେ
ଛତ୍ରପୁର, (ଦେବଦତ୍ତ ମହାରଣା) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁକ୍ରୁବାର ବିଜୁ ପକ୍କା ଘର ଯୋଜନା ରେ ପକ୍କାଘର ପାଇଥିବା ପରିବାରଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି । ପକ୍କାଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ ହଜାର ଟଙ୍କାର ଘର ମରାମତି ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ସମସ୍ତ ହିତାଧିକାରୀ ମାନଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯିବ । ପକ୍କା ଘର ପାଇଥିବା ପରିବାର ମାନେ ସେମାନଙ୍କ ଘର ରଙ୍ଗ ବା ମରାମତି କରି ଖୁସିରେ ରହିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଆଜି ନବ ବର୍ଷ ଉପଲକ୍ଷେ ଭେଟି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଏକ ଲକ୍ଷ ୨୫ ହଜାର ୫୯୨ ଜଣ ପକ୍କା ଘର ପାଇଥିବା ପରିବାରଙ୍କୁ ୩ ହଜାର ଟଙ୍କା ଘର ମରାମତି ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ଭିସିରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଦୟାନିଧିପୁର ଗ୍ରାମ ପଂଚାୟତର ନିସ୍ତିପୁର ଗ୍ରାମର ବିଧବା ହିତାଧିକାରୀ ସବିତା ଭୁୟାଁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବାରୁ ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ସେ ଦୁଃଖରେ ଥିବା ବେଳେ ତାଙ୍କର କୌଣସି ପକ୍କା ଘର ନଥିବାରୁ ସେ ବହୁ ଦୁଃଖ କଷ୍ଟରେ ଚଳୁଥିଲେ । ତାଙ୍କୁ ୨୦୧୮-୧୯ ରେ ପକ୍କା ଘର ଯୋଗାଇ ଦେବାରୁ ସେ ଏବେ ବେଶ୍ ଭଲରେ ଅଛନ୍ତି । ଏବେ ତାଙ୍କ ଘର ମରାମତି ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ ସେ ତାଙ୍କ ଘରର ରଙ୍ଗ ବଦଳାଇ ଘରକୁ ନବୀନ ନିବାସ କରିବେ ବୋଲି କହିଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ନିକଟରେ ତାଙ୍କ ଶୁଭ ମନାସିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଏପିଡି (ଗ୍ରାମୀଣ ଗୃହ) ସୌମ୍ୟ ରଞ୍ଜନ ହୋତାଙ୍କ ସମେତ ଜିଲ୍ଲାର ବହୁ ହିତାଧିକାରୀ ମାନେ ଉପସ୍ଥିତ ଥିବା ବେଳେ ସମସ୍ତ ବ୍ଲକ ଗୁଡିକରେ ବିଡିଓ ଓ ଅନ୍ୟାନ୍ୟ ହିତାଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ ।


