ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରା. ଉଦୟଗିରିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ପିଟିସନ୍ ର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତବର୍ଷ ସେପ୍ଟେମ୍ବର ୨୯ରେ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଗଜପତି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ସେଥିରେ ଉଲ୍ଲେଖ ଥିଲା ଯେ, ରା. ଉଦୟଗିରିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ଦାବିରେ ଗତବର୍ଷ ଡିସେମ୍ବରରେ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେଥିରେ ପାଞ୍ଚ ହଜାରରୁ ଅଧିକ ଲୋକ ଯୋଗ ଦେଇ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏହି ଦାବି ଉପରେ ସରକାର କୌଣସି ପଦକ୍ଷେପ ନ ନେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା l ଜଷ୍ଟିସ ବିଶ୍ୱନାଥ ରଥ ଏହାର ଶୁଣାଣି କରି କୋର୍ଟଙ୍କ ନିର୍ଦ୍ଦେଶର ନକଲ ସହିତ ପିଟିସନ ନକଲ ପାଇବାର ଦେଢ଼ ମାସ ମଧ୍ୟରେ ରା. ଉଦୟଗିରିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଧାରିତ ସମୟ ସରକାର ପଦକ୍ଷେପ ନନେଲେ ମୁଖ୍ୟ ଶାସନ ସଚି଼ବଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ମାମଲା ରୁଜୁ କରାଯିବ ବୋଲି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


