ବାତଜ୍ୱର-ଫାଇଲେରିଆ ରୋଗର ଔଷଧ ସେବନ ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାନୁସାରେ ଗୁରୁବାରଠାରୁ ସମଗ୍ର ଓଡ଼ିଶାରେ ଲିମ୍ଫାଟିକ ଫାଇଲେରିଆ ଔଷଧ ସେବନ ଶୁଭାରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ କାର୍ଯ୍ୟକ୍ରମ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଔଷଧ ସେବନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ଲୋକଙ୍କୁ ଲିମ୍ଫାଟିକ ଫାଇଲେରିଆ ଔଷଧ ଖୁଆଇ ଅଭିଯାନର ଶୁଭାରମ୍ଭ କରିଥିଲେ । ବାତଜ୍ୱର ଓ ଫାଇଲେରିଆ ରୋଗର ଭୟାବହତା ସମ୍ପର୍କରେ ସୂଚନା ଦେବା ସହ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି ସେ କହିଥିଲେ । ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରତିନିଧି ଡାକ୍ତର ଦେବକାନ୍ତ ନାୟକ, ଫାଇଲେରିଆ ନିରୋଧ ଅଭିଯାନର ରାଜ୍ୟ ପରାମର୍ଶଦାତା ଦେବକାନ୍ତ ସନ୍ଦିବିଗ୍ରହ, ଜିଲା ବାହକ ବାହିତ ରୋଗ ପରାମର୍ଶଦାତା ଡାକ୍ତର ଆଲୋକ କୁମାର ପତି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାତଜ୍ୱର ଓ ଫାଇଲେରିଆ ରୋଗ ନିରାକରଣରେ ଏହି ଅଭିଯାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଆସନ୍ତା ୨୦୩୦ ମସିହା ସୁଦ୍ଧା ଦେଶରୁ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସଫଳ କରିବା ପାଇଁ ସେମାନେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲାରେ ସମସ୍ତ ଯୋଗ୍ୟ ହିତାଧିକାରୀ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥଙ୍କ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ ଆଶା, ଅଙ୍ଗନୱାଡି କର୍ମୀ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଫାଇଲେରିଆ ନିରୋଧୀ ଔଷଧ ସେବନ କରାଇବେ । ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଜନସମୂଦାୟ ଯେଭଳି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବେ, ସେନେଇ ସବୁ ମହଲର ପ୍ରୟାସ ଆରମ୍ଭ ହୋଇଛି ବୋଲି ଅତିଥିମାନେ ସୂଚନା ଦେଇଛନ୍ତି । ଶେଷରେ ଡିପିଏମ ଅନୀଲ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ ସେଠୀ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରମଣୀକାନ୍ତ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ