ଯୁକ୍ତତିନି ଅଫଲାଇନ ପରୀକ୍ଷା ବନ୍ଦ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ଯୁକ୍ତଦୁଇ ପରେ ଏବେ ଯୁକ୍ତତିନି ତୃତୀୟ ବର୍ଷ ୫ମ ସେମିଷ୍ଟାର ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ର ଛାତ୍ରୀମାନେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ପ୍ରତିନିଧିମାନେ ଗୁରୁବାର ଜିଲାପାଳଙ୍କୁ ଭେଟି ଅଫଲାଇନ ପରୀକ୍ଷା ବନ୍ଦ ପାଇଁ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ମହାମାରୀ କରୋନା ଯୋଗୁଁ ଦୀର୍ଘ ୨ବର୍ଷ ଧରି କଲେଜ ବନ୍ଦ ରହିଥିବା ବେଳେ କାଁଭାଁ ଅନଲାଇନରେ କ୍ଲାସ ହୋଇଛି । ସିଲାବସଠାରୁ ବହୁ କମ ଅର୍ଥାତ ୧୦/୧୫ ପ୍ରତିଶତ କୋର୍ସ ପଢ଼ାଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଅଫଲାଇନରେ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ମାତ୍ର ୧ମାସ ପଢ଼ି ୬ ମାସ ପାଠର ପରୀକ୍ଷା କେମିତି ଦେବେ ବୋଲି ଛାତ୍ର ପ୍ରତିନଧିମାନେ ପ୍ରଶ୍ନ କରିଛନ୍ତି । ଉକ୍ତ ପରୀକ୍ଷାକୁ ବନ୍ଦ କରାଯାଉ ନତୁବା ଅନଲାଇନ ପରୀକ୍ଷା ଆୟୋଜନ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରଛାତ୍ରୀମାନେ ଚେତାନୀ ଦେଇଛନ୍ତି । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ସେମାନେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଅଭିଷେକ ପାତ୍ର, ଦିବ୍ୟଜ୍ୟୋତି ପରିଛା, ବିକାଶ ପଢ଼ିଆରୀ, ବିଶାଲ କୁମାର ଦେ, କୃଷ୍ଣକାନ୍ତ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ