ସୁରକ୍ଷା ମଧ୍ୟରେ ଭୋଟ ଗଣତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ଲକର ୫ନମ୍ବର ଜୋନ ଅନ୍ତର୍ଗତ ଚାରିଗାଁ, ଢୋଲ, ଧୂମାତ, ଘାଗରା, ଇନ୍ଦୁପୁର, କୋରୋ, କୁତୁରଙ୍ଗ ଓ ନିକିରାଇ ପଞ୍ଚାୟତ ପାଇଁ ଶନିବାର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକ ପରିସରରେ ଭୋଟ ଗଣତି ଚାଲିଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଭୋଟ ଗଣତି କେନ୍ଦ୍ର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି । ପ୍ରଥମେ କେନ୍ଦ୍ରାପଡ଼ା କଲେଜର ମୁଖ୍ୟ ଫାଟକ ନିକଟରେ ପୋଲିସ ଜଗି ରହିଛନ୍ତି । ଏହାପରେ ଗଣତି କେନ୍ଦ୍ରଠାରୁ ୧୦୦ ମିଟର ଦୂରରେ ଆଉ ଏକ ପୋଲିସ ଦଳ ଜଗି ରହିଛନ୍ତି । ଭୋଟ ଗଣତି କେନ୍ଦ୍ର ଗୃହର ତଳେ ଅନ୍ୟ ଏକ ପୋଲିସ ଦଳ ଜଗି ରହିଛନ୍ତି । ଫଳରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି କାର୍ଯ୍ୟ ଚାଲିଛି । ଭୋଟ ଗଣତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ପାଇଁ ଏକ ଏଲସିଡି ଲାଗିଛି । କିନ୍ତୁ ସେହି ଏଲସିଡିଟି ବହୁତ କ୍ଷୁଦ୍ର ଆକାରର ହୋଇଛି । ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଠିକ ସେହିପରି ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଭୋଟଗଣତି କେନ୍ଦ୍ରକୁ ସକାଳୁ ଯାଇଥିଲେ । ସେମାନେ ଯିବା ବେଳେ ସାଙ୍ଗରେ ପାଣି ବୋତଲ ନେବାକୁ ଚାହିଁଥିଲେବି ପୋଲିସ ପାଣି ବୋତଲ ନେବାକୁ ଅନୁମତି ଦେଇ ନ ଥିଲା । ଗଣତି କେନ୍ଦ୍ରରେ ପ୍ରତିନିଧିମାନଙ୍କ ପାଇଁ ପିଇବା ପାଣିର କୈାଣସି ବ୍ୟବସ୍ଥା ହୋଇ ନ ଥିଲା । ତେଣୁ ପାଣି ପିଇବା ପାଇଁ ସେମାନଙ୍କୁ ଭୋଟ ଗଣତି କେନ୍ଦ୍ରରୁ ବାହାରି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି କେନ୍ଦ୍ରାପଡ଼ା କଲେଜ ବାହାରକୁ ଆସି ନିକଟସ୍ଥ ବଜାରରୁ ପାଣି ପିଇବାକୁ ପଡିଥିଲା । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜଙ୍କୁ ପଚାରିବାରୁ ସେ କହିଲେ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କୁ ଭୋଟ ଗଣତି କେନ୍ଦ୍ରକୁ ପାଣି ବୋତଲ ନେବାକୁ ବାରଣ କରାଯାଇଥିଲା । ସେହିପରି ଯେଉଁ ସ୍ଥାନରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନେ ବସିବା ପାଇଁ ବ୍ୟସ୍ଥା ହୋଇଥିଲା ସେ ସ୍ଥାନରେ ପଙ୍ଖା ବ୍ୟବସ୍ଥା ମଧ୍ୟ ନଥିଲା । ତେଣୁ ଉଭୟ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନେ ସମସ୍ୟାରେ ପଡିଥିଲେ । ସରକାରଙ୍କ ସାଧାରଣ ପର୍ଯ୍ୟବେକ୍ଷକ ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ଭୋଟ ଗଣତି କିପରି ଚାଲୁଛି ତାହା ଜାଣିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରିଥିଲେ ।


