କୋଣାର୍କ ପୌର ନିର୍ବାଚନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୪ ପୌରାଧ୍ୟକ୍ଷା ପ୍ରାର୍ଥୀନୀ : ୩କାଉନସିଲର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ପୌର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସରେ ବିଜେଡିର ୩ ବିଦ୍ରୋହୀ, ବିଜେପିର ଜଣେ ବିଦ୍ରୋହୀ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ୩ଜଣ କାଉନସିଲର ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସିର ୧୩ଗୋଟି ଓ୍ବାର୍ଡ ନିମନ୍ତେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ, କଂଗ୍ରେସରୁ ରୂପାଲିନୀ ସ୍ବାଇଁ, ବିଜେପିରୁ ଚନ୍ଦିକ୍ରା ରାଉତରାୟ, ବିଏସପିର କବିତା ଓଝା, ସ୍ୱାଧୀନରୁ ରଂଜୁଲତା ଭୋଳ ଓ ଆଶାଲତା ରାଉତରାୟଙ୍କ ସମେତ ୬ଜଣ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବର୍ତୀନ ହୋଇଛନ୍ତି । ସେହିପରି କୋଣାର୍କ ଏନଏସିର ୧୩ ଗୋଟି ଓ୍ବାର୍ଡ ନିମନ୍ତେ ୪୯ ଜଣ ଦଳୀୟ ଓ ସ୍ୱାଧୀନ କାଉନସିଲର ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଚଳିତ ପୌର ନିର୍ବାଚନରେ କୋଣାର୍କ ଏନଏସିରେ ମୁଖ୍ୟତଃ ତ୍ରିମୁଖୀ ପୌରାଧ୍ୟକ୍ଷା ଲଢେଇ ହେବା ଚିତ୍ର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସ୍ପଷ୍ଟ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଏହି ଏନଏସିର ଓ୍ବାର୍ଡ ସଂଖ୍ୟା ୧୩ ଓ ମତଦାତା ସଂଖ୍ୟା ୧୨୧୬୧ଜଣ।ଏହି ନିର୍ବାଚନରେ ଜମିଜମା ସମସ୍ୟା, ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ, ଆବାସ ଯୋଜନାରେ ଗୃହ ଆବଣ୍ଟନରେ ପାତର ଅନ୍ତର ନୀତି ଆଦି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ବିରୋଧି ବିଜେପି ଓ କଂଗ୍ରେସ ଘେରିବ ବୋଲି ରାଜନୈତିକ ବିଶେଷଜ୍ଞମାନଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। କୋଣାର୍କ ପୌରାଧ୍ୟକ୍ଷା ପଦବୀରେ କୋଣାର୍କ ଅଂଚଳର ସଚେତନ ନାଗରିକ, ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମାନେ କାହାକୁ ନିର୍ବାଚିତ କରିବେ ତାହା ଆସନ୍ତା ୨୪ ତାରିଖ ପୌର ନିର୍ବାଚନରେ ନିର୍ଧାରିତ କରିବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।


