୭ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପୈାରପରିଷଦର ୭ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଥିବା ଦେଖାଯାଇଛି । ଏହି ୱାର୍ଡର ଗୈାଡଗୋପ ଏବଂ ମୀରପାଟଣା ପ୍ରଭୃତି ଗ୍ରାମରେ ପ୍ରତ୍ୟେକ ଘରକୁ ଘର ବୁଲି ଶ୍ରୀମତୀ ପାଣି ତାଙ୍କ ନିର୍ବାଚନୀ ପ୍ରଚାର ଚଳାଇବା ସହ ଭୋଟରମାନଙ୍କୁ ଭୋଟଭିକ୍ଷା କରୁଛନ୍ତି । ଶ୍ରୀମତୀ ପାଣିଙ୍କ ଶଶୁର କୁଞ୍ଜବିହାରୀ ପୃଷ୍ଟି ଏହି ପୈାରପରିଷଦରେ ଉପାଧ୍ୟକ୍ଷ ଥିଲେ । ଏହାବ୍ୟତିତ ଶ୍ରୀମତୀ ପାଣିଙ୍କ ସ୍ୱାମୀ ବରିଷ୍ଠ କଂଗେସ ନେତା ସୈାମେନ୍ଦ୍ର ପୃଷ୍ଟି ଗତ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କାଉନସିଲର ଥିଲେ । ଏଥିସହିତ ଶ୍ରୀ ପୃଷ୍ଟି ପୂର୍ବରୁ ନଗର କଂଗ୍ରେସର ସଭାପତି ଥାଇ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥିଲେ । ଏହି ୱାର୍ଡରେ ଡ୍ରେନ ସମସ୍ୟା ରହିଥିବା ବେଳେ କେତେକ ସ୍ଥାନରେ ରାସ୍ତା ନିର୍ମାଣର ଆବଶ୍ୟକତା ମଧ୍ୟ ରହିଛି । ଏହି ୱାର୍ଡରୁ ପୂର୍ବରୁ ନିର୍ବାଚିତ ହୋଇ ଧିରେନ କୁମାର ସାହୁ ପୈାରପରିଷଦର ଅଧ୍ୟକ୍ଷ ଥିଲେ । କିନ୍ତୁ ତାଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ମଧ୍ୟ ସେ ଏହି ୱାର୍ଡରେ ଥିବା ଶ୍ମସାନକୁ ରାସ୍ତା କରିନଥିଲେ କିମ୍ବା ୱାର୍ଡର ଡ୍ରେନ ସମସ୍ୟା ପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ୱାର୍ଡବାସୀ ଶବ ସଂସ୍କାର ପାଇଁ କଜଳାସ୍ଥିତ ଶ୍ମଶାନକୁ ଯିବାକୁ ବାଧ୍ୟ ହେଉଛନ୍ତି । ମୁଁ କାଉନସିଲର ଭାବେ ବିଜୟୀ ହେଲେ ୱାର୍ଡ ଡ୍ରେନ ସମସ୍ୟାର ସମାଧାନ କରିବା ସହ ଶ୍ମଶାନକୁ ରାସ୍ତା ନିର୍ମାଣ କରିବି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବି ବୋଲି ଶ୍ରୀମତୀ ପାଣି କହିଛନ୍ତି । ମୋର ସ୍ୱାମୀ ଓ ଶଶୁର ପୂର୍ବରୁ ଜନତାଙ୍କ ସେବା କରି ଆସୁଥିବାରୁ ମୁଁ ମଧ୍ୟ ନିର୍ବାଚିତ ହୋଇ ଜନସେବା କରିବି ବୋଲି ଶ୍ରୀମତୀ ପାଣି କହିଛନ୍ତି ।


