ପାଣି ପାଇଁ ୩ କାଉନସିଲରଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଅମୃତ ସହର ଯୋଜନାରେ ସାମିଲ ହେବା ପରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ମାଟି ତଳେ ପାଇପ ବିଛା କାର୍ଯ୍ୟ । ପାଂଚ ବର୍ଷ ବିତିଥିଲେ ବି ଆଜି ଯାଏ ଘରକୁ ଘର ପାଣି ଯୋଗାଇବା ସମ୍ଭବ ହୋଇପାରିନଥିବା ବେଳେ ପାନୀୟ ଜଳ ସଙ୍କଟର ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ବି ପାନୀୟ ଜଳ ଯୋଗାଣ ନେଇ କେହି କିଛି ବ୍ୟବସ୍ଥା କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିଲା । ତେବେ ପୌରନିର୍ବାଚନ ପରେ ସେହି ଅସନ୍ତୋଷ ଉଗ୍ର ରୂପ ନେଇଥିବା ବେଳେ ଜଳ ସଙ୍କଟ ଭୋଗୁଥିବା ଲୋକଙ୍କ ସହିତ ପୌର ପରିଷଦର ୩ଜଣ ନବ ନିର୍ବାଚିତ କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଗତ ବିଶ୍ୱକର୍ମା ପୂଜା ସମୟରୁ ସହରର ୨୭ନଂ ୱାର୍ଡରେ ଜଳ ସଙ୍କଟ ଉତ୍କଟ ହେବା ନେଇ ଅଭିଯୋଗ ହେଉଥିଲେ ବି ଆଶ୍ୱାସନା ଛଡା କୌଣସି ପଦକ୍ଷେପ ନିଆଯାଉନଥିଲା । ତେବେ ଗତ ୪ଦିନ ଧରି ସମ୍ପୃକ୍ତ ଅଂଚଳରେ ଆଦୌ ପାଣି ନମିଳିବାରୁ ଉତ୍ୟକ୍ତ ଲୋକଙ୍କ ସେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ କାଉନସିଲର ପଦ୍ମଲୋଚନ ଲେଙ୍କା । ଏହି ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଏକାଧିକ ଥର ଅବଗତ କରିଥିଲେ ବି କେହି କିଛି ଶୁଣି ନଥିଲେ । ପାନୀୟ ଜଳ ନ ମିଳିବାରୁ ନବ ନିର୍ବାଚିତ ପୌରଧ୍ୟକ୍ଷା ଓ ସଦର ବିଧାୟକଙ୍କୁ ଜଣାଇବା ସତ୍ୱେ ପରିସ୍ଥିତି ଆହୁରି ଜଟିଳ ହୋଇଥିବା ଶ୍ରୀ ଲେଙ୍କ କହିଥିଲେ । ଲୋକଙ୍କୁ ପାନୀୟ ଜଳ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ସେହିପରି ୨୫ନଂ ୱାର୍ଡର କାଉନସିଲର ନିତ୍ୟ ଗୋପାଲ ସିଂ ମଧ୍ୟ ଧାରଣାରେ ବସିବା ସହିତ ପନୀୟ ଜଳ ଯୋଗାଣରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ । ପନୀୟ ଜଳ ସଙ୍କଟ ତୁରନ୍ତ ଦୂର ନହେଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ସିଂ ଚେତାବନୀ ଦେଇଥିଲେ । ତେବେ ସହରର ୧୧ନଂ ୱାର୍ଡରେ ୫ଟି ପାଣି ପମ୍ପ ସ୍ଥାପନ କରାଯାଇଥିବା ସତ୍ୱେ ପାନୀୟ ଜଳ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ଧାରଣାରେ ବସିଥିବା କାଉନସିଲର ଶେଖ ନୌସାଦ । ଏଥିପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ହିଁ ଏକମାତ୍ର ଦାୟୀ ବୋଲି ସେ କହିଥିଲେ । ତେବେ କାଉନସିଲର ମାନେ ଧାରଣାରେ ବସିଥିବା ଖବର ପାଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ….. ଓ ସହକାରୀ ଯନ୍ତ୍ରୀ ….. ସେଠାରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଟାଙ୍କି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି … ପ୍ରକାଶ କରିଥିଲେ । ବାଲେଶ୍ୱର ସହରରେ ଦୃତ ହ୍ରାସ ପାଉଥିବା ଭୂତଳ ଜଳସ୍ତର ହିଁ ପାନୀୟ ଜଳ ସଙ୍କଟର ମୁଖ୍ୟ କାରଣ ବୋଲି ସେ କହିଥିଲେ । ସଂଖ୍ୟାଧିକ ପମ୍ପ ସ୍ଥାପନ ହେଉଥିଲେ ବି ଆବଶ୍ୟକୀୟ ମାତ୍ରାରେ ପାନୀୟ ଜଳ ସଂଗ୍ରହ ହୋଇପାରୁନାହିଁ । ଅନ୍ୟ କେତେକ କ୍ଷେତ୍ରରେ ପମ୍ପ ଅଚଳ ହେବା ଓ ଦୁବୃତଙ୍କ ଦ୍ୱାରା ପମ୍ପର ବିଦ୍ୟୁତ ତାର ଚୋରି ହୋଇଯିବା କାରଣରୁ ଜଳ ଯୋଗାଣ ବନ୍ଦ ରହିଛି । ସମସ୍ତ ସମସ୍ୟାକୁ ଯୁଦ୍ଧକାଳୀନ ଭିତିରେ ସମାଧାନ ପାଇଁ ନିର୍ବାହୀ ଯନ୍ତ୍ରୀ …. ପ୍ରତିଶୃତି ଦେଇଥିଲେ ।