ଶିକ୍ଷକ ଅଭାବକୁ ନେଇ ଝୁଟୁଣା ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ନେଇ ଆଜି ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୧୬୫ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୪ଜଣ ଶିକ୍ଷକ ରହିଛନ୍ତି। ଜଣେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସମେତ ତିନିଜଣ ଶିକ୍ଷକ ୧୬୫ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବା ପ୍ରାୟତଃ କଷ୍ଟକର ବ୍ୟାପାର। ତେଣୁ ଅଭିଭାବକ ମାନେ ବିଦ୍ୟାଳୟକୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଯୋଗାଇବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ବାରମ୍ବାର ଜଣାଇଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ପରିଶେଷରେ ଆଜି ପରିଚାଳନା କମିଟି ସଭାପତି ନାରାୟଣ ଖୁଣ୍ଟିଆ, ଅଭିଭାବକ ଅଜୟ ଜେନା, ଶିବ ପଣ୍ଡା, ନିରଞ୍ଜନ ଘଡେଇ, ଧନେଶ୍ୱର ବେହେରା, ଭାନୁପ୍ରିୟା ରଣସିଂ, ପାର୍ବତୀ ଜେନା, ସୁକାନ୍ତ ବେହେରା, ସାବିତ୍ରୀ ରାଉତ, ରେଖା ଜେନା ପ୍ରମୁଖ ବିଦ୍ୟାଳୟ ନିକଟରେ ପହଁଚି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣା ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ଅଭିଭାବକ ମାନଙ୍କ ସହିତ ଉପସ୍ଥିତ ରହି ଉପଯୁକ୍ତ ଶିକ୍ଷା ପାଇଁ ଯଥାଶୀଘ୍ର ଶିକ୍ଷକ ଯୋଗାଇଦେବାକୁ ଦାବି କରିଥିଲେ। ଘଟଣାସ୍ଥଳରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଆନ୍ଦୋଳନ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଅସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା କଥା ଘୋଷଣା ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏନେଇ ବ୍ଲକ ଶିକ୍ଷାଧିକାରିଣୀ ମଂଜୁବାଳା ନାୟକଙ୍କ ମତାମତ ନେବାରୁ ଝୁଟୁଣା ବିଦ୍ୟାଳୟ ଠାରେ ଆବଶ୍ୟକ ପରିମାଣର ଶିକ୍ଷକ ନଥିବା କଥା ସ୍ଵୀକାର କରିଥିଲେ। ଏ ସମ୍ପର୍କରେ ଅଭିଭାବକ ମାନେ ପୂର୍ବରୁ ଜଣାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ଅଧିକ ପରିମାଣରେ ଶିକ୍ଷକ ନିଯୁକ୍ତି ନଥିବାରୁ ଅନେକ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗି ରହିଥିବା କହିଥିଲେ। ତେଣୁ ବ୍ଲକ ଶିକ୍ଷା ବିଭାଗ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ପରିମାଣର ଶିକ୍ଷକ ନିଯୁକ୍ତି କରିନପାରି ନିଜ ଅସହାୟତାକୁ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ