କିନ୍ନରଙ୍କୁ ଆକ୍ରମଣ ଘଟଣା : କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କିନ୍ନରଙ୍କୁ ଆକ୍ରମଣ ଘଟଣା ନେଇ ଶୁକ୍ରବାର କେନ୍ଦ୍ରାପଡ଼ା, ପାରାଦୀପ, କନ୍ଦରପୁର, କଟକ ଓ ଭୁବନେଶ୍ୱରବ ପ୍ରଭୃତି ସ୍ଥାନରୁ ଆସିଥିବା ୫ଶହରୁ ଅଧିକ କିନ୍ନର କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ଅବସରରେ କିନ୍ନରମାନେ ସେମାନଙ୍କ ଦାବି ପୂରଣ ପାଇଁ ହୁଳହୁଳି ପକାଇ ଏସପିଙ୍କ କାର୍ଯ୍ୟାଳୟ ପ୍ରକମ୍ପିତ କରିଦେଇଥିଲେ । ଏଥିରେ ଆରକ୍ଷୀ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡ଼କର ବାଧ୍ୟହୋଇ କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଓ ଡିଏସ୍ପି କାର୍ତ୍ତିକ ମଲ୍ଲିକଙ୍କୁ କିନ୍ନରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । ଉଭୟ ଅଧିକାରୀ କିନ୍ନରମାନଙ୍କ ସହ କଥାହୋଇ ଘଟଣା ବିଷୟରେ ପଚାରି ବୁଝିଥିଲେ । କିନ୍ନରମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ କଜଳାରେ କେତେକ କିନ୍ନର ସରକାରୀ ଜାଗାରେ ରହୁଛନ୍ତି । କିନ୍ତୁ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ସେଠାରେ ଆକ୍ରମଣ କରିଥିଲେ । ଏ ନେଇ ସେମାନେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେମାନେ ପୋଲିସକୁ ଜଣାଇଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ବୋଲି କିନ୍ନରମାନେ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ନ ଥିବାରୁ ସେମାନେ ମାରଣାସ୍ତ୍ର ଧରି କିନ୍ନରମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି । ଏହାଦ୍ୱାରା କିନ୍ନରମାନଙ୍କ ଜୀବନ ବିପଦାପନ୍ନ ହୋଇଛି ବୋଲି ସେମାନେ କହିଥିଲେ । ଏହାପରେ ଏସ୍ପିଙ୍କ ନିର୍ଦେଶକ୍ରମେ ଡିଏସ୍ପି କାର୍ତ୍ତିକ ମଲ୍ଲିକ ଟାଉନ୍ ଥାନା ଅଧିକାରୀଙ୍କୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ଡିଏସ୍ପିଙ୍କ ଠାରୁ ନିର୍ଦେଶ ପାଇବା ପରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି । କିନ୍ନର ମାନେ କହିଥିଲେ ସରକାରୀ ଜାଗାରେ ବହୁ ଲୋକ ଘର କରି ରହୁଛନ୍ତି । ଆମେ ସରକାରୀ ଜାଗାରେ ଘର କରି ରହିଲେ ପାପ କ’ଣ । କଜଳାରେ ଅନେକ ଅସାମାଜିକ ବ୍ୟକ୍ତି ସରକାରୀ ଜାଗାକୁ ମାଡିବସି ଘର କରି ରହୁଛନ୍ତି । କେତେକ ଅସାମାଜିକ ବ୍ୟକ୍ତି ସରକାରୀ ଜାଗାକୁ ଲୋକଙ୍କ ଠାରୁ ପଇସା ନେଇ ନିଲାମ କରୁଛନ୍ତି । କିନ୍ତୁ ପ୍ରଶାସନ ସେମାନ ଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆମେ ସରକାରୀ ଜାଗାରେ ଘର କରି ରହିଲେ ଅସାମାଜିକ ବ୍ୟକ୍ତିମାନେ ଆମ ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ପୋଲିସ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରୁନାହିଁ । ଯେପର୍ଯ୍ୟନ୍ତ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତିମାନେ ଗିରଫ ହୋଇ ନାହାଁନ୍ତି ସେପର୍ଯ୍ୟନ୍ତ ଆମେ ଏସ୍ପି ଅଫିସରୁ ଉଠିବୁ ନାହିଁ ବୋଲି କିନ୍ନରମାନେ ଜିଦି ଧରିବା ସହ ହୁଳହୁଳି ପକାଇଥିଲେ । ଏହାପରେ ଏସ୍ପି ସନ୍ଦୀପ ସମ୍ପଦ ମଡ଼କର ଘଟଣା ସ୍ଥଳକୁ ଆସି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କିନ୍ନରମାନେ ଏସ୍ପି ଅଫିସ ଛାଡିଥିଲେ । ଏହି ବିକ୍ଷୋଭ ସ୍ଥଳରେ କିନ୍ନରଙ୍କ ନେତା ପ୍ରତାପ ସାହୁ, କିନ୍ନର ସଂଘର ରାଜ୍ୟ ସଭାପତି ସୁଇଟି ସାହୁ, କେନ୍ଦ୍ରାପଡ଼ା ସଂଘର ସଭାପତି ଦେବିକା ବାରିକ, ରାଜଶ୍ରୀ କିନ୍ନର, ବଡ଼ବିଲର ସୋନମ କିନ୍ନର, କେନ୍ଦୁଝରର ପ୍ରାଚୀ କିନ୍ନର, କଟକର କାଜଲ କିନ୍ନରଙ୍କ ସମେତ ୫ଶହରୁ ଊର୍ଦ୍ଧ୍ୱ କିନ୍ନର ଏସ୍ପିଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।


