ସହାୟତା ଅପେକ୍ଷାରେ ରୋଗାକ୍ରାନ୍ତ ଲକ୍ଷ୍ମୀଧରଙ୍କ ପରିବାର : ଗ୍ରାମବାସୀଙ୍କ ସହାୟତାରେ ବଞ୍ଚିଛି ଜୀବନ
ହାଟଡିହି, (ବିକାଶ ବିଶ୍ୱାଳ) :-ସରକାର ଗରିବ ଲୋକମାନଙ୍କୁ ଭୋକ ଉପବାସରେ ରଖାଇ ନଦେବା ଓ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋବା ଯୋଗାଇ ଦେବାପାଇଁ କରିଛନ୍ତି ମାଳ ମାଳ ଯୋଜନା । ହେଲେ ଏହି ଯୋଜନାର ସୁଫଳ ଲୋକମାନେ ପାଉଛନ୍ତି କି ନାହିଁ ତାହାକୁ ଦେଖିବାକୁ କେହି ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର କଣିଆରୀ ଗ୍ରାମରେ । ଗ୍ରାମର ଲକ୍ଷ୍ମୀଧର ଯେନାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅଙ୍କୁ ନେଇ ହସଖୁସିରେ ଚଲୁଥିଲେ । ନିଜର ଜମିବାଡି ନଥିବାରୁ ପରଘରେ କାମ ଦାମ କରି ଯାହା ପାଉଥିଲେ ସେଥିରେ ପରିବାରଟି ଆରାମରେ ଚଳିଯାଉଥିଲା । ହେଲେ ବିଧିର ବିଧାନ ଥିଲା ବଡ ବିଚିତ୍ର । ଦେଢ଼ବର୍ଷ ତଳେ ବଡଝିଅ ଗୌରୀ କୌଣସି ଏକ ଅଜଣା ରୋଗର ଶୀକାର ହେଲେ । ପରିବାର ଲୋକେ ଅନେକ ଡାକ୍ତରଖାନା ନେଇ ଅନେକ ଖର୍ଚ୍ଚାନ୍ତ ହୋଇ ଚିକିତ୍ସା କଲେବି ଭଲ ହୋଇ ନଥିଲା । ପରେ ତାଙ୍କର ହାର୍ଟ ପ୍ରୋବ୍ଲେମ ବୋଲି ଜଣାପଡିବା ପରେ ଅପରେସନର ଆବଶ୍ୟକତା ପଡିଥିଲା । ଗାଁ ଲୋକେ କିଛି ଚାନ୍ଦା ଆଦାୟ କରି ତାକୁ କଟକ ପଠାଇଥିଲେ । ସେଠାରେ ତାଙ୍କର ହେଲଥ କାର୍ଡ ଦେଖାଇ ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଇଥିଲେ । ଗୌରୀ ଘରକୁ ଆସିବାର ଦିନ କେଇଟାପରେ ତାର ବାପା ହଠାତ ଅସୁସ୍ଥ ହୋଇ ପଡିଲେ । ସେ କିଡିନ ରୋଗରେ ଆକ୍ରାନ୍ତ ହୋଇପଡିବାରୁ ଆଉ କାମଦାମ କରିପାରିଲେ ନି କି ଠିକ ସେ ଚଲାବୁଲା କରିପାରିଲେନି । ସେ ଘରେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଠିକ ଭାବେ ଚଲାବୁଲା କରିପାରୁ ନାହାନ୍ତି । ଏପରି ଅବସ୍ଥାରେ ଲକ୍ଷ୍ମୀଧର ଘରେ ବସିରହିବାରୁ ପରିବାରରେ ଆଉ ଚୁଲି ଜଳି ନଥିଲା । ଭୋକ ଉପବାସରେ ଦିନ କାଟୁଥିବା ଦେଖି ଗାଁ ଲୋକେ ନିଜ ନିଜ ଭିତରେ ସହାୟତାର ହାତ ବଢ଼ାଇ ଆଜକୁ ଦୀର୍ଘଦିନ ହେବ ପାଳିକରି ଖାଇବାକୁ ଦେଇ ଆସୁଛନ୍ତି । ଏପରି ଅବସ୍ଥାରେ ଗୌରୀର ଔଷଧ କିଣିବାକୁ ମଧ୍ୟ ପାଖରେ ଟଙ୍କାଟିଏ ନଥିବା ବେଳେ ବାପାର ଔଷଧ କଥା ପଚାରେ କିଏ । ଗାଁର ଜଣେ ଯୁବକ ଆଉଥରେ ସ୍ୱାସ୍ଥ୍ୟକାର୍ଡ ଧରି ଗୌରୀକୁ କଟକ ନେଇ ପୁନର୍ବାର ଚିକିତ୍ସା ପାଇଁ ଯାଇଥିଲେବି ଏଥିରେ ତାଙ୍କ ଅପରେସନ ସରିଯାଇଛି ଆଉ କିଛି ମିଳିବନି ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ କହିବାରୁ ନିରାଶ ହୋଇ ଫେରି ଆସିଥିଲେ । ଏପରି ଔଷଧ କିଛି ବି ଦେବାକୁ ମନା କରିଦେଇଥିଲେ । ଏପରି ଅବସ୍ଥାରେ ବର୍ତ୍ତମାନ ସମୟରେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଛି । ସରକାରଙ୍କ ତରଫରୁ କେବଳ ଚାଉଳ ଗଣ୍ଡିଏ ରେସନକାର୍ଡରେ ମିଳୁଥିବାବେଳେ ଆଉ କିଛି ସହାୟତା ପାଇ ପାରି ନାହାନ୍ତି । ଲକ୍ଷ୍ମୀଧର ୬୧ବର୍ଷ ବୟସରେ ପାଦ ଥାପିଥିଲେବି ଭତ୍ତା ଖଣ୍ଡିଏ ବି ପାଇପାରି ନାହାନ୍ତି । ତାଙ୍କ ଘରଟି କିପରି ଚଳିବ ଓ ସେମାନଙ୍କ ଦେହ କିପରି ସୁସ୍ଥ ହେବ ସେନେଇ ପ୍ରଶାସନ ତାଙ୍କୁ ସହଯୋଗ କରୁ ବୋଲି ଗୌରୀ କୋହଭରା କଣ୍ଠରେ କାନ୍ଦି କାନ୍ଦି ସହାୟତା ଲୋଡିଛନ୍ତି । ବର୍ତ୍ତମାନ ସମୟରେ ପେଟକୁ ଦାନା, ବାପ ଝିଅଙ୍କ ମେଡିସିନ ଖର୍ଚ୍ଚ ସେମାନଙ୍କୁ ବୋଝ ଉପରେ ନଳିତା ବିଡା ସଦୃଷ ହୋଇଛି । ଏପରି ଅବସ୍ଥାରେ ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ସହୃଦୟ ସହକାରେ ସହାୟତାର ହାତ ବଢ଼ାଇଲେ ପରିବାରଟିରେ ପୁନର୍ବାର ହସ ଫେରି ଆସିବ ବୋଲି ସ୍ୱେଚ୍ଛାସେବୀ ଉଦୟନାଥ କର, ଗ୍ରାମର ସୁନିଲ କୁମାର ମଣ୍ଡଳଙ୍କ ସମେତ କଣିଆରୀ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।


