ଟାଟା କମ୍ପାନୀ ବିରୁଦ୍ଧରେ ଗ୍ରାମବାସୀଙ୍କ ଆନ୍ଦୋଳନ ତୃତୀୟ ଦିନରେ : ଆନ୍ଦୋଳନ ସ୍ଥଳରେ ଟେଣ୍ଟ ବାନ୍ଧି ରୋଷେଇ କରି ଖାଇଲେ ଆନ୍ଦୋଳନକାରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା କମ୍ପାନୀ ଅଧିକୃତ ଜମିରେ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଂଚିଛି । ସୋମବାର ଆନ୍ଦୋଳନ ସ୍ଥଳରେ ଟେଣ୍ଟ ମାରି କାଳିପଲ୍ଲୀ ଗ୍ରାମବାସୀ ମାନେ ବସି ରହିବା ସହ ସେଠାରେ ରୋଷେଇ କରି ମଧ୍ୟ ଖାଉଥିବା ଦେଖିବାକୁ ମିଳିଛି । ଦିପକ ଫର୍ଟିଲାଇଜର ପ୍ରକଳ୍ପ ନିମନ୍ତେ ଚାଲିଥିବା କାର୍ଯ୍ୟକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରହିଛି । ଶନିବାର ଦିନ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରି ଚାଲିଥିବା କାର୍ଯ୍ୟ ବନ୍ଦ କରିଥିଲେ । ହେଲେ, ପୋଲିସ୍ ଉପସ୍ଥିତିରେ ରବିବାର ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ମାନେ ପୋଲିସ୍ ସହ ମୁହାଁମୁହିଁ ହୋଇ ହୋହାଲ୍ଲା କରି ଚାଲିଥିବା କାର୍ଯ୍ୟକୁ ବନ୍ଦ କରିଥିଲେ । ଗତକାଲି ଠାରୁ ସେଠାରେ ଟେଣ୍ଟ ମାରି ଆନ୍ଦୋଳନ କୁ ତୀବ୍ର କରିଥିଲେ । ଆଜି ପୋଲିସ୍ ଘଟଣା ସ୍ଥଳରେ ମୃତୟନ ହୋଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ସୂଚନା ଯୋଗ୍ୟ ଯେ, ଟାଟ କମ୍ପାନୀ ଇସ୍ପାତ କାରାଖାନା ପାଇଁ କାଳିପଲ୍ଲୀ ଓ ନିକଟସ୍ଥ ଅଂଚଳରେ ୧୯୯୬ ମସିହାରେ ଜମି ଅଧିଗ୍ରହଣ ହୋଇଥିଲା । ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଟାଟା କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ଅସନ୍ତୋଷ ଲାଗି ରହିଛି । ଏପରିକି, ଇସ୍ପାତ କାରାଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ନାଁ ରେ ବିଭିନ୍ନ କମ୍ପାନୀକୁ ଆଣି ଏଠାରେ ଟାଟା କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଏବେେ କାଳିପଲ୍ଲୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀ ଠାରୁ ଲିଜ୍ ନେଇ ଦିପକ ଫର୍ଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ କାଳିପଲ୍ଲୀ ଗ୍ରାମବାସୀ ବିରୋଧ କରି ଶନିବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ନିଯୁକ୍ତି, ପରେ କାର୍ଯ୍ୟ ବୋଲି ନାରାବାଜି ଦେଇ ଗ୍ରାମବାସୀ ମାନେ ସେମାନଙ୍କ ଜିଦିରେ ଅଟଳ ରହିଛନ୍ତି । ଗ୍ରାମର ପ୍ରତି ଘରର ଜଣେ ଲେଖାଁଏ ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହ ବିଭିନ୍ନ ଦାବି ନେଇ ଗ୍ରାମବାସୀ ମାନେ ଆନ୍ଦୋଳନ ସ୍ଥଳରେ ଧାରଣା ଦେବା ସହ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି । ଟାଟା କମ୍ପାନୀ ପକ୍ଷରୁ ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ଜମି ଗୁଡିକ ଶାଗମାଛ ଦରରେ ନେଇଥିବା ବେଳେ ନିଯୁକ୍ତି ବଦଳରେ ଆମ ପ୍ରତି ବିଶ୍ୱାସ ଘାତକ କରିଛି । ଯାହା ଆମେ କେବେ ହେଲେ ବରଦାସ୍ତ କରିବୁ ନାହିଁ । ଆମ ମାନଙ୍କର ଦାବି ପୂରଣ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ଏନେଇ ବାରମ୍ଭାର ଅବଗତ କରାଯାଇଥିଲେ ମଧ୍ୟ ଆମର କୌଣସି କାର୍ଯ୍ୟ କାର୍ଯ୍ୟକାରୀ ହେଉନାହିଁ । ଯାହା ଫଳରେ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଗ୍ରାମର ବହୁ ମହିଳା ମାନେ କହିଛନ୍ତି ।


