ଗଜପତିରେ ବୋଲବମ ଭକ୍ତଙ୍କ ଜଳାଭିଷେକ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ମୋଟ 7 ଗୋଟି ଯଥା – ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷାଣୀ, କାଶୀନଗର ଓ ଗୁମ୍ମା ଆଦି ବ୍ଲକରେ ଶହଶହ ସଂଖ୍ୟାରେ ବୋଲବମ ଭକ୍ତଙ୍କ ବ୍ରତ ଆରମ୍ଭ ହୋଇଯାଇଛି I ବୋଲବମ ଭକ୍ତମାନେ ନୂତନ କାଉଡିକୁ ସୁସଜ୍ଜିତ କରି ନିକଟସ୍ଥ ଜଳାଶୟ ଓ ନଦୀରୁ ଜଳ ସଂଗ୍ରହ କରି ବିଭିନ୍ନ ଶିବାଳୟରେ ଥିବା ଶିବ ଲିଙ୍ଗ ଗୁଡିକରେ ଜଳାଭିଷେକ କରିଛନ୍ତି I ପାରଳାଖେମୁଣ୍ଡି ସହରର ଶ୍ରୀ ବାଲୁଙ୍କେଶ୍ୱର ବୋଲବମ ସଂଘର ସଭାପତି ସୁଜିତ ପ୍ରଧାନ କହିଛନ୍ତି ଗତ 23 ବର୍ଷ ଧରି ଆମ୍ଭେ ଶ୍ରାବଣ ମାସ ସାରା ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତ ପାଳନ କରି ଆସିଅଛୁ I ଗତକାଲି ବୋଲବମ ବ୍ରତର ସଂକଳ୍ପ ହେବାପରେ ଆଜି ସକାଳୁ ମହେନ୍ଦ୍ରାତନୟା ନଦୀରୁ ଜଳ ସଂଗ୍ରହ କରି ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଛନ୍ତି I ଆଜିଠାରୁ ଶ୍ରାବଣ ମାସ ଶେଷ ପ୍ରଯ୍ୟନ୍ତ ପ୍ରତ୍ୟେକ ଦିନ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ସମେତ ଅନ୍ୟାନ୍ୟ ଶିବାଳୟରେ ମଧ୍ୟ ଜଳାଭିଷେକ କରାଯିବ I ଶ୍ରାବଣ ମାସ ଶେଷ ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ବ୍ରତ ଉତଯାପିତ କରାଯିବ I


