ଧାନ ପଞ୍ଜିକରଣ ପାଇଁ ମହିଳା ଏସଏଚଜିଙ୍କୁ ପ୍ରାଧାନ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ସ୍ଥିତ ଆଦମପୁର ମହିଳା ଏସଏଚଜିକୁ ଧାନ ପଞ୍ଜିକରଣ ପାଇଁ ପ୍ରାଧାନ୍ୟ ଦିଆଯାଇଛି । ଗତ ଦୁଇ ବର୍ଷ ହେବ ଏସଏଚଜି ସଫଳତାର ସହ ପଞ୍ଜିକରଣ କରି ଧାନକୁ ବିଭିନ୍ନ ମିଲ ମାଧ୍ୟମରେ ସରକାରଙ୍କୁ ବିକ୍ରୟ କରୁଛି । ଚଳିତ ବର୍ଷ ମଧ୍ୟ ସଭାପତି ସେବତୀ ବେହେରା ଓ ସମ୍ପାଦିକା ମମତା ପରିଡାଙ୍କ ତତ୍ୱବାଧାନରେ ଚାଷୀ ମାନେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରୁଥିବା ଦେଖାଯାଇଛି। ଉକ୍ତ ପଞ୍ଚାୟତର ବିଷ୍ଣୁପୁର ସମେତ ଆଦମପୁର, ଚିଙ୍ଗୁଡ଼ିପୁର, ବାଲିଚତୁରୀ, କାଞ୍ଜିଆ, ହସନପୁର, ଗୋପାଳପୁର, ଜଗନ୍ନାଥପୁର, ବ୍ରାହ୍ମଣ ସାହି ପ୍ରମୁଖ ଗ୍ରାମର ଚାଷୀ ମାନେ ଏସଏଚଜି ନିକଟରେ ଧାନ ପଞ୍ଜିକରଣ କରିଛନ୍ତି । ପୂର୍ବରୁ ଚାଷୀ ମାନେ ସୁଦୂର ଜଳମଣ୍ଡୁଆ ସମିତି ଠାରେ ଧାନ ଦେଉଥିବା ବେଳେ ଏବେ ସୁବିଧା ଦୃଷ୍ଟିରୁ ଚାଷୀ ମାନେ ଏସଏଚଜି ନିକଟରେ ଧାନ ବିକ୍ରୟ କରୁଥିବା ସରପଞ୍ଚ ଅମୂଲ୍ୟ ନାୟକ ଜଣାଇଛନ୍ତି । ଦୂରଦୂରାନ୍ତ ସ୍ଥାନକୁ ଯାଇ ଧାନ ବିକ୍ରୟ କରିବା ଅପେକ୍ଷା ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ଦ୍ୱାରା ଶସ୍ୟ ବିକ୍ରୟ କରିବା ସୁବିଧା ହେଉଥିବା ଚାଷୀ ବିଜୟ ଖିଲାର, ସନାତନ ପରିଡା, ଅକ୍ଷୟ କୁମାର ନାୟକ, ନିରଞ୍ଜନ ବାରିକ, ପୁର୍ଣ୍ଣଚନ୍ଦ୍ର ଖିଲାର, ସୁଧାକର ମହାପାତ୍ର, ସୁଶାନ୍ତ ନାୟକ ପ୍ରମୁଖ ସୂଚନା ଦେବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


