ବିଦ୍ୟାଳୟରୁ କାଠ ଚୋରି ବେଳେ ଶିକ୍ଷୟତ୍ରୀଙ୍କୁ ଧରିଲେ ଗ୍ରାମବାସୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଥିବା ରଗୁଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ ପ୍ରଧାନ ଶିକ୍ଷୟତ୍ରୀ କାଠ ନେଉଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ । ଗ୍ରାମବାସୀମାନେ ଗାଡି ସହିତ କାଠକୁ ବନ ବିଭାଗକୁ ହସ୍ତାନ୍ତର କରିଥବବାବେଳେ ଆଜି ବିଦ୍ୟାଳୟରେ ତାଲା ପକାଇ ଦେବାରୁ ବିଦ୍ୟାଳୟଟି ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏପରିକି ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ପାରିନି କି ଶିକ୍ଷାଦାନ ହୋଇପାରିନି । ଫଳରେ ଛାତ୍ରଛାତ୍ରୀ ମାନେ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସିରହିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଇଛି ରଗୁଡିଆ ବିଦ୍ୟାଳୟରେ ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକରୁଥିବାବେଳେ ପ୍ରମିଳା ରାଉତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତ କିଛିଦିନ ତେ ସ୍କୁଲ ପରିସରରେ ଥିବା ଏକ ଶିଶୁଗଛ ବାତ୍ୟାରେ ଉପୁଡି ପଡିବାରୁ ତାକୁ କଟାଯାଇ ସ୍କୁଲ ପରିସରରେ ରଖାଯାଇଥିଲା । ଗତକାଲି ରାତିରେ ପ୍ରଧାନ ଶିକ୍ଷକୟତ୍ରୀ ଏକ ଟାଟା ଏସି ଗାଡିରେ ସ୍କୁଲରେ ଥିବା ଶିଶୁଗଛର କାଠ ଗଡ ଗୁଡିକୁ ଗାଡିରେ ଲୋଡକରି ନେବାବେଳେ ଗ୍ରାମବାସୀମାନେ ଗାଡିଟିକୁ ଅଟକାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାହିଁକି କାଠ ନେଉଛ ବୋଲି ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଗ୍ରାମବାସୀମାନେ ଏ ସମ୍ପର୍କରେ ତୁରନ୍ତ ହଦଗଡ ବନ ବିଭାଗକୁ ଜଣାଇବାରୁ ପ୍ରଧନ ଶିକ୍ଷୟତ୍ରୀ ଓ ଗାଡି ଚାଳକ ଘଯଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବନ ବିଭାଗର ଅଧିକାରୀ ମାନେ ପହଞ୍ଚି କାଠ ବୋଝେଇ ଗାଡିଟିକୁ ଜବଦ କରିବାସହ ବନଖଣ୍ଡ କାର୍ଯ୍ୟାଳୟକୁ ନେଇଯାଇଥିଲେ । ଏହି ଘଟଣାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଆଜି ଅଭିଭାବକ ଓ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଦେଇଥିଲେ । କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ଯାଇ ନପାରି ଗେଟ ସମ୍ମୁଖରେ ଠିଆହୋଇ ରହିଥିଲେ । ଏପରିକି ମଧ୍ୟାହତନ ଭୋଜନ ରନ୍ଧା ଯାଇପାରି ନଥିଲା । ଅପରାହ୍ନରେ ଏ ଖବର ପାଇବାପରେ ହାଟଡିହି ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ଉକ୍ତ ସ୍କୁଲକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କୁ ଏଠାରୁ ବଦଳି କରିବାପରେ ଯାଇ ସ୍କୁଲ ଖୋଲଯିବ ବୋଲି ଜିଦରେ ଅଟଳ ରହିବାପରେ ବିଇଓଙ୍କ ପ୍ରତିଶୃତି ଯାଇ ସ୍କୁଲ ଖୋଲାଯାଇଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ରାଉତଙ୍କୁ ପଚାରିବାରେ ସେ କାଠସବୁକୁ ବିଦ୍ୟାଳୟର ଚେୟାର ଟେବୁଲ ନିର୍ମାଣ ପାଇଁ ନେଉଥିଲେ ବୋଲି ସଫେଇ ଦେଉଥିବାବେଳେ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଏ ବାବଦରେ ଜାଣି ନାହାନ୍ତି ବୋଲି କହିଛନ୍ତି ।


