ଅମୃତ ମହୋତ୍ସବରେ ‘ପାଠାଗାର’ ଉଦ୍ଘାଟନ : ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଚାର୍ଯ୍ୟ ହରିହର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ ପାଠାଗାର ଗୃହ ଉଦ୍ଘାଟିତ ହୋଇଯାଇଛି । ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଉଦ୍ଘାଟିତ ଏହି ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୁକ୍ତିଲତା ପାଲ ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସମ୍ପଦ କୁମାର ଦଳେଇ, କର୍ପୋରେଟର ଲାଲ୍ ମୋହନ ଟୁଡୁ, କନିଷ୍ଠ ଯନ୍ତ୍ରୀ ରଶ୍ମିତା କର ଅତିଥି ଭାବରେ ଯୋଗଦାନ କରିଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜାତୀୟ ସଙ୍ଗୀତ ପ୍ରାରମ୍ଭରେ ଗାନ କରାଯାଇଥିଲା । ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବିଧାୟକ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦେଶ ଗଠନରେ ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ । ଅମୃତ ମହୋତ୍ସବ ଅବସରରେ ମା, ମାଟିକୁ ଭଲ ପାଇବାକୁ ଅଧ୍ୟକ୍ଷା ଉପଦେଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉଚ୍ଚବିଦ୍ୟାଳୟର ଅଧ୍ୟାପକ ବିଜୟରାମ ଜେନା, ଅଧ୍ୟାପକ ଦେବରାଜ ସ୍ୱାଇଁ, ସୁବାସ ସାହୁ, ପବିତ୍ର ମୋହନ ରଥ, ଅଧ୍ୟାପିକା ସୁଜାତା ସାମନ୍ତରାୟ, ଡଃ ଅଳକା ନନ୍ଦା, ଶାଶ୍ୱତୀ ମହାନ୍ତି, ଶିବ କୁମା ଜେନା, କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗାଦନ କରିଥିଲେ । ପରିଶେଷରେ ପଠନ ଗୃହ ପାଇଁ ବିଧାୟକଙ୍କ ହାତପାଣ୍ଠିରୁ ଅନୁଦାନ ଓ ଖେଳପଡ଼ିଆ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।


