ବି.ଏସ୍.କେ.ୱାଇ କାର୍ଡ଼ ଜୀବନ ବଞ୍ଚାଇ ଦେଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) କାର୍ଡ଼ ଜୀବନ ବଞ୍ଚାଇ ଦେଲା” । ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ୪୧ ବର୍ଷ ବୟସ୍କ ସୁରେନ୍ଦ୍ର ପ୍ରଧାନ, ଗ୍ରାମର ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ-ବଡାଲ୍ ଗ୍ରାମର ୧୯ ବର୍ଷ ବୟସ୍କ ଜଗତ ଜୀବନ ମାନଧାତା । ପ୍ରଧାନ କହିଥିଲେ ଯେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ହେତୁ ବାଣ ଫୁଟିଯିବାରୁ ଆମେ ତିନିଜଣ ବହୁ ଅଂଶରେ ପୋଡିଯାଇଥିଲୁ । ଦିନ ମଜୁରିଆ ପରିବାର କଣ କରିବୁ କେମିତି ଚିକିତ୍ସା କରିବୁ ଆଦି ଭାବି ଗାଉଁଲି ଚିକିତ୍ସା ଆରମ୍ଭ କରୁଥିବା ବେଳେ ଗାଁର ଜଣେ ଶିକ୍ଷିତ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ କହିଥିଲେ । ଗାଁ ପଡିଶାମାନେ ମଧ୍ୟ ୧୦୮ ଆମ୍ବୁଲାନ୍ସ୍ ଡକାଇଲେ । ଆମେ ଜୁନ୍ ୬ ତାରିଖରେ ସମ୍ ହସ୍ପିଟାଲ୍ ବାବଦରେ ଶୁଣି ସମସ୍ତେ ସେଠାରେ ପହଞ୍ଚିଲୁ । ଆମ ଆଖି ପାଉନଥାଏ । ଏତେ ବଡ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବତ ! ଟଙ୍କା ମାଗିବେନିତ ! ବି.ଏସ୍.କେ.ୱାଇ କାଉଣ୍ଟରରେ ଥିବା ଅଫିସର ସାହାଯ୍ୟ କଲେ । ବିନା ଟଙ୍କାରେ ଆଡ୍ମିଶନ ଓ ଚିକିତ୍ସା ହେଲା । ଡ଼ାକ୍ତର, ନର୍ସ ସମସ୍ତେ ତୁରନ୍ତ ଚିକିତ୍ସାକଲେ । ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା କଲେ । ସବୁ ମାଗଣା ହେଲା । ପ୍ରଥମେ ମୁଁ ଭଲ ହୋଇ ଘରକୁ ଆସିଲି । ଡ଼ାକ୍ତରଖାନାରେ ପ୍ରାୟ ଦେଢ଼ମାସ ଚିକିତ୍ସା ହେଲି । ଜଗତ ଜୀବନ ଦେଢ଼ମାସ ହସ୍ପିଟାଲରେ ଚିକିତ୍ସା ହେଲା । ପ୍ଲାଷ୍ଟିକ୍ ସର୍ଜରୀ ହେଲା । ସେ ମଧ୍ୟ ଘରକୁ ଫେରିଲା । ପ୍ରତୀକର ଦେହ ବେଶି ପୋଡି ଯାଇଥିବାରୁ ସେ ପ୍ରାୟ ୨ ମାସ ହସ୍ପିଟାଲରେ ରହିଲା । ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ । କାର୍ଡରେ ଥିବା ୫ ଲକ୍ଷ ଟଙ୍କା ସରିଗଲା । ଆମର ଆଉ ଉପାୟ ନଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ହ୍ୱାଟସ୍ଆପ୍ ମେସେଜ୍ରେ ଜଣାଇଲୁ । ତାଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଫୋନ୍ ଆସିଲା । ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କଲେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ହସ୍ପିଟାଲ୍ ସହ କଥାହେଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଲା । ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେବି ସମ୍ ହସ୍ପିଟାଲ୍ ସବୁ ଚିକିତ୍ସା କଲେ । ପ୍ରତୀକର ପ୍ଲାଷ୍ଟିକ୍ ସର୍ଜରୀ ହେଲା । ଏବେ ସେ ଘରକୁ ଫେରିଛି । ମୁଖ୍ୟମନ୍ତ୍ରୀଙ୍କ ବି.ଏସ୍.କେ.ୱାଇ କାର୍ଡ଼, ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଙ୍କର ସହଯୋଗ ଯୋଗୁ ଅମେ ସମସ୍ତେ ବଞ୍ଚିଗଲୁ । ଦୁଇ ଜଣ ପିଲା ପୁଣି ପାଠ ପଢ଼ିବେ । ମୁଁ ଧିରେ ଧିରେ କର୍ମକ୍ଷମ ହେଉଛି । କାର୍ଡ଼ ନଥିଲେ ଗାଉଁଲି ଚିକିତ୍ସା କରି କଣ ଆମ ଅବସ୍ଥା ହୋଇଥାଆନ୍ତା ଠାକୁର ଜାଣନ୍ତି । ଏତେବଡ ଉପକାର ପାଇଁ ଆମେ ତିନିଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ସମ୍ ହସ୍ପିଟାଲ୍ କର୍ତ୍ତୁପକ୍ଷ, ଡ଼ାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଉଛୁ ।


