ବାଲେଶ୍ୱରରେ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ରବିବାର ପାଳିତ ହୋଇଯାଇଛ । ସକାଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକାବାଜିରେ ରାମଧୂନ ବାଦନ ସହ ସହର ପରିକ୍ରମା କରିଥିଲା । ସକାଳ ୮ଟା ୩୦ରେ ଅତିଥିମାନେ ସ୍ଥାନୀୟ ସହିଦ ପାର୍କସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମେତ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ଜନନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ୯ଟା ବେଳେ ଗାନ୍ଧୀସ୍କୃତି ଭବନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲା ଶିକ୍ଷାଧିକାରୀ ବିଷ୍ଣୁ ପ୍ରାସଦ ସୂତାର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦେଶର ଜାତୀୟ ମୁକ୍ତି ସଂଗ୍ରାମଠାରୁ ଆରମ୍ଭ କରି ଭାରତୀୟ ସଂସ୍କୃତିରେ ମାନବବାଦ ପ୍ରତିପାଦନରେ ଗାନ୍ଧିଜୀଙ୍କ ଅହିଂସା ନୀତିର ବିଭିନ୍ନ ଦିଗ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସତ୍ୟ ଓ ଅହିଂସାର ପ୍ରତୀକ ଭାବେ ଗାନ୍ଧିଜୀ ନିଜର ଆଦର୍ଶ କାର୍ଯ୍ୟଧାରା ପାଇଁ ସମଗ୍ର ବିଶ୍ୱରେ ଆଜି ବନ୍ଦନୀୟ ହୋଇ ପାରିଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସେହିଭଳି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଦୁଇ ମହାନ ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ପ୍ରାର୍ଥନା ସଭାରେ ବାରବାଟୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଜରିନା ବେଗମ କୋରାନ, ଖ୍ରୀଷ୍ଟିୟାନ ହାଇସ୍କୁଲର ଶିକ୍ଷକ ସଂଗ୍ରାମ କିଶୋର ସିଂ ବାଇବେଲ ଓ ଜିଲାସ୍କୁଲ ପଣ୍ଡିତ ଚିତ୍ତରଂଜନ କର ଗୀତା ପାଠ କରିଥିଲେ । ନୃତ୍ୟ ସଙ୍ଗୀତ କଳା ମନ୍ଦିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ଓ ରଘୁପତି ରାଘବ ଭଜନ ଗାନ କରାଯାଇଥିଲା । ପୂର୍ବରୁ ଜିଲାସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ପରିଚାଳନା କରିଥିଲେ ।


