ସେଲ୍ଫି ହେଲା କାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସେଲ୍ଫି ହେଲା କାଳ. ଆଜିକାଲି ଯୁବବର୍ଗମାନେ ସେଲ୍ଫି ମାୟାରେ ବିଭୋର ହୋଇ ନିଜ ଜୀବନକୁ ବାଜିରେ ଲଗେଇ ଦେଉଛନ୍ତି. ଯାହା ଫଳରେ ବହୁ ଜୀବନ ଅକାଳରେ ଚାଲିଯାଉଛି. ଏପରି ଏକ ଅଘଟଣ ରଘୁନାଥପୁର ନିକଟରେ ଥିବା ଗୁଦୁଗୁଦା ଜଳ ପ୍ରପାତରେ ଘଟିଛି. ଘଟଣାରୁ ପ୍ରକାଶଯେ, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ଅଞ୍ଚଳର ୪ ଜଣ ଛାତ୍ର ଗୁଦୁଗୁଦା ଜଳପ୍ରପାତକୁ ବୁଲିବା ପାଇଁ ଆସିଥିଲେ. ସେଥିମଧ୍ୟରୁ ମୃତକ ପି. ବଂଶୀ (୧୮), ଘର ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ଅଞ୍ଚଳରେ. ଯୁବକ ଜଣକ ଜଳପ୍ରପାତର ଉପର ଭାଗରେ ବୁଲିବୁଲି ନିଜ ମୋବଇଲରେ ସେଲ୍ଫି ଉଠାଇଥିଲେ. ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ପ୍ରାୟ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲେ. ତାଙ୍କ ସହ ଯାଇଥିବା ଅନ୍ୟ ୩ ଜଣ ଯୁବକ ଓ କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ହେଲେ ଯୁବକଙ୍କ କୌଣସି ଖୋଜ ଖବର ମିଳିନଥିଲା. ଖବରପାଇ ଜିରାଙ୍ଗ ଫାଣ୍ଡି ଅଧିକାରୀ ପାଣୁ ମଲ୍ଲିକ, ରାୟଗଡ ପୁଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳିନଥିଲା. ଘଟଣାର ୨ ଦିନ ପରେ ସକାଳୁ ଜଳପ୍ରପାତ ଅଞ୍ଚଳରୁ ପ୍ରାୟ ୧କିମି ଦୂରରେ ପି. ବଂଶୀଙ୍କ ମୃତଦେହ ପଡ଼ିଥିବା ଦେଖି ଉଦ୍ଧାର କରାଯାଇଥିଲା. ରାୟଗଡ ପୋଲିସ ଶବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ.
ଏ ସଂକ୍ରାନ୍ତରେ ଜିରାଙ୍ଗ ଫାଣ୍ଡି ଅଧିକାରୀ ପାଣୁ ମଲ୍ଲିକ ଘଟଣାର ତଦନ୍ତ କରୁଥିବାବେଳେ ରାୟଗଡ ପୋଲିସ ଅପମୃତ୍ୟୁ ମାମଲା (୧୦/୨୨)ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ ସୂଚନା ପ୍ରଦାନ କରିଛନ୍ତି. ୧ ମାସ ମଧ୍ୟରେ ଏହା ଦ୍ଵିତୀୟ ଘଟଣା ହୋଇଥିବାବେଳେ ଏଥି ପୂର୍ଵରୁ ବହୁ ଅଘଟଣ ଘଟିଥିବାର ଘଟଣା ସାମ୍ନାକୁ ନଜିର ଆସିଛି. ତେଣୁ ବିଶେଷକରି ଆଜିକାର ଯୁବପିଢ଼ିମାନେ ଏ ଦିଗ ପ୍ରତି ଯତ୍ନବାନ ହେଲେ ଏପରି ଦୁର୍ଘଟଣାରୁ ବର୍ତ୍ତି ଯାଇପାରିବେ. ବିପଦସଂକୁଳ ସ୍ଥାନ ମାନଙ୍କରେ ସେଲ୍ଫି ନ ନେବା ପାଇଁ ବିପଦ ସଂକେତ ଵା ସତର୍କ ସୂଚନା ଫଳକ ବୋର୍ଡ ଲଗେଇଵା ପାଇଁ ସରକାରଙ୍କ ପକ୍ଷରୁ ଜାରୀ ହେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ