ଯୁବ କବିଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକବି ତଥା ବେଲଗୁଣ୍ଠା ବ୍ଳକ୍ ର ଶେଷ ସ୍ୱାଧୀନତା ସଂଗ୍ରାମୀ ବାଉରୀ ବନ୍ଧୁ ରଥଙ୍କର ସୁପୁତ୍ର ଶରତଚନ୍ଦ୍ର ରଥଙ୍କର ମାତ୍ର ୪୭ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସୂଚନା ପ୍ରକାରେ ଶରତ କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ I ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିଲେ I ଶରତଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁଅ ଶ୍ରୀତମ୍ (୧୨), ସ୍ତ୍ରୀ ପୁଷ୍ପାଞ୍ଜଳିଙ୍କ ସମେତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ I ସେ ଜଣେ ଉଚ୍ଚକୋଟୀର କବି , ସଂଗଠକ, ସମାଜସେବୀ ଏବଂ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ I ସେ ଗୋବରା ସମ୍ବାଦ ସାହିତ୍ୟ ଘର,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଭଳି ବିଭିନ୍ନ ସାହିତ୍ୟ ଏବଂ ସାମାଜିକ ସଂଗଠନରେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ I ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସ୍ତରୀୟ ଉତ୍ସବ ଭଳି ବହୁ ବଡ଼ ବଡ଼ ମଞ୍ଚରେ ନିଜର କବିତା ପାଠ କରିଥିଲେ I ସେ ମଧ୍ୟ ଜଣେ ବୈଦ୍ୟ ଭାବରେ ଲୋକଙ୍କ ନିକଟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଘୁମୁସର ବୈଦ୍ୟ ସଂଘର ସକ୍ରିୟ ସଦସ୍ୟ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ଗୋବରା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ, ସମ୍ପାଦକ ଡ.ରତ୍ନ ସାଗର ମଳିକ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ୍ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଶରତଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ କରାଯାଇଛି I


