ଆଞ୍ଚଳିକ ପରିବହନ ବିଭାଗର ଦୁର୍ଘଟଣା ତଦନ୍ତ ସମ୍ପର୍କିତ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ଦୁର୍ଘଟଣା ଜନିତ ତଦନ୍ତ ସମ୍ପର୍କିତ କର୍ମଶାଳା ସ୍ଥାନୀୟ ଏଲଏନ ପ୍ଲାଜା ପରିସରରେ ସୋମବାର ଉଦଘାଟିତ ହୋଇଯାଇଛି । ରାଜ୍ୟ ପରିବହନ ବିଭାଗର ସଡ଼କ ସୁରକ୍ଷା ଅତିରିକ୍ତ ଆୟୁକ୍ତ ଲାଲମୋହନ ସେଠୀ ଏଥିରେ ଦୁର୍ଘଟଣା ପରେ ପରିବହନ ଓ ପୁଲିସ ଦ୍ୱାରା ହେଉଥିବା ତଦନ୍ତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଦୁର୍ଘଟଣାର ସଠିକ କାରଣ ଜାଣିବା, ଦୋଷୀ ଚିହ୍ନଟର ନିରପେକ୍ଷତା ଅବଲମ୍ବନ କରିବା ଏବଂ ଧାର୍ଯ୍ୟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ଉପରେ ଶ୍ରୀ ସେଠୀ ଗୁରୁତ୍ୱାରୋପ କରିଥିଲେ । ପୂର୍ବାଞ୍ଚଳ ଜୋନ ଡିସିଟି ଆର.ଏନ. ସିରକା, ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଓ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଏହି କର୍ମଶାଳାରେ ଯୋଗଦେଇ ତଦନ୍ତ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ପୁଲିସର ସଡ଼କ ସୁରକ୍ଷା ଉପ ଆରକ୍ଷୀ ଅଧିକ୍ଷକ ଆଲୋକ ରଞ୍ଜନ ରାଜ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଦକ୍ଷତା ବୃଦ୍ଧି ନେଇ ମାର୍ଗଦର୍ଶନ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ପୁଲିସ ଓ ପରିବହନ ବିଭାଗ ବହୁ ଅଧିକାରୀ ଓ ବରିଷ୍ଠ କର୍ମଚାରୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।


