ପରଲୋକରେ ଅନ୍ନପୂର୍ଣ୍ଣା ଥିଏଟରର ପ୍ରବୀଣ ଅଭିନେତା କମଳ ଲୋଚନ ଦାଶ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ଯଶସ୍ୱୀ ମଞ୍ଚ ଅଭିନେତା, ନିର୍ଦ୍ଦେଶକ କମଳଲୋଚନ ଦାଶଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଫୁସ୍‌ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ୫୪ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଞ୍ଚନାଟ, ଚଳଚ୍ଚିତ୍ର, ଗୀତିନାଟ୍ୟ ତଥା ଦୂରଦର୍ଶନ ଧାରାବାହିକରେ ଅଭିନୟ ତଥା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ସେ ନିଜ ଜୀବନକୁ ନାଟକଳାରେ ସମର୍ପିତ କରିଥିଲେ । ୧୯୬୫ ମସିହାରୁ ଅନ୍ନପୂର୍ଣ୍ଣା ଥିଏଟର୍ ‘ବି’ ଗ୍ରୁପ୍‌, ୧୯୬୮ ମସିହାରୁ ୧୯୯୫ ମସିହା ଅନ୍ନପୂର୍ଣ୍ଣା ଥିଏଟର୍ ‘ଏ’ ଗ୍ରୁପ୍‌, ପୁନଶ୍ଚ କଳାଶ୍ରୀ ରୂପକାର ଥିଏଟର ଏବଂ କେତେକ ଅପେରାରେ ଅଭିନୟ ତଥା ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଦୂରଦର୍ଶନ ଭୁବନେଶ୍ୱରରେ ସଂପର୍କ, ମା’, ପରଆପଣା, ମାନିନୀ, ଇ.ଟି.ଭି.ରେ ପଣତକାନି, ପୂଣ୍ୟତୋୟା ଧାରାବାହିକରେ ସେ ଅଭିନୟ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ।୧୯୯୫-୯୬ ମସିହାଠାରୁ ଏ ପର୍ଯ୍ୟନ୍ତ କ୍ରମାଗତଭାବେ ‘ଚନ୍ଦ୍ରଭାଗା’ ଆୟୋଜିତ ଅଖିଳ ଭାରତୀୟ ଆନ୍ତଃ ମହାବିଦ୍ୟାଳୟ ବହୁଭାଷୀ ନାଟକ ପ୍ରତିଯୋଗିତାରେ ବିଚାରକ ଭାବରେ କାର୍ଯ୍ୟଭାର ସୁଚାରୁ ରୂପେ ତୁଲାଇ ଆସୁଥିଲେ । କଟକରୁ ତାଙ୍କର ମୃତଶରୀର ବାଲେଶ୍ୱରରେ ପହଞ୍ଚିବା ପରେ ବହୁ ବହୁ କଳାକାର ବନ୍ଧୁ, ସମ୍ପର୍କୀୟ ଓ ଜ୍ଞାତିକୁଟୁମ୍ବଙ୍କ ସମେତ ବହ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସ୍ଥାନୀୟ ଡିଗିରହଣିଆ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ଭଳି ଜଣେ ଉଚ୍ଚକୋଟୀର କଳାକାର, ଦରଦୀ ତଥା ମେଳାପୀ ବ୍ୟକ୍ତିତ୍ୱଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ