କେନ୍ଦ୍ରାପଡା ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମହାବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ଏକ ସମ୍ମିଳନୀ ଜଜାଙ୍ଗ ସ୍ଥିତ ଆଦର୍ଶ ପୋଖରୀ ସନ୍ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୭୬ ଓ ୧୯୭୭ବ୍ୟାଚର ପ୍ରାୟ ୮୫ଜଣ ପୁରାତନ ଛାତ୍ର ସେମାନଙ୍କ ପରିବାର ସହ ଯୋଗଦେଇଥିଲେ । ପୁରାତନ ଛାତ୍ର ପ୍ରଦୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କଟକ-ଭୁବନେଶ୍ୱର ପକ୍ଷରୁ ତପନ କୁମାର ନାୟକ ଓ ଅନନ୍ତ ବେହେରା ଏବଂ କେନ୍ଦ୍ରାପଡାରୁ ବିଜୟ କୁମାର ଅଗ୍ରୱାଲ ପ୍ରମୁଖ ସଂଯୋଜନା କରିଥିଲେ । ଦୀର୍ଘ ୫୦ବର୍ଷ ତଳର କଲେଜ ଛାତ୍ର ଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ନିଜର ସଂକ୍ଷୀପ୍ତ ବିବରଣୀ ପ୍ରଦାନ ସହ ପରସ୍ପର ମଧ୍ୟରେ ଅଭିଜ୍ଞତାକୁ ବଖାଣିବା ପୂର୍ବକ ପୁରାତନ କଲେଜ ଦିନର ସେହି ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ପୁରାତନ ଛାତ୍ର ଗୁରୁ ପ୍ରସାଦ ମହାନ୍ତି ନିକଟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବନ୍ଧୁ ମନୋଜ ମହାନ୍ତିଙ୍କ ସହଧର୍ମିଣୀ କଳ୍ପନା ମହାନ୍ତି କପାଳେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ ବିଜୟୀ ହୋଇଥିବାରୁ ଉଭୟଙ୍କୁ ଏହି ସମ୍ମିଳନୀରେ ବନ୍ଧୁ ସୁଧିର ଲେଙ୍କା ଓ ଅନ୍ନପୂର୍ଣ୍ଣା ଲେଙ୍କା ସମ୍ବର୍ଦ୍ଧିତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ଛାଡି ଦୀର୍ଘ ୫୦ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ଯୋଗଦେଇ ସମସ୍ତ ବନ୍ଧୁମାନଙ୍କୁ କିପରି ସେମାନେ ସେମାନଙ୍କ ପିଲାମାନଙ୍କୁ ସଠିକ ଭାବରେ ଗଢିତୋଳିପାରିବା ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଅଳ୍ପଦିନ ତଳେ ପରଲୋକ ଗମନ କରିଥିବା ବନ୍ଧୁ ଗୋପାଳ କୃଷ୍ଣ ଜେନାଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବାହାରେ ରହୁଥିବା ପୁରାତନ ଛାତ୍ରମାନେ କିପରି ଆସନ୍ତା ବର୍ଷ ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ସେ ସମ୍ପର୍କରେ ଯୋଗାଯୋଗ କରିବାକୁ ପ୍ରଦୀପ ମହାନ୍ତି ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ । ପୁରାତନ ଛାତ୍ର ଅଜୟ ସାମଲ, ଶ୍ରୀନିବାସ ପ୍ରଧାନ, ଲୋକନାଥ ରାଉତ, କେଶବ ସାହୁ, ସକ୍ଳେଶ୍ୱର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ