ତହସିଲରେ ନାହିଁ ନେଟୱର୍କ, ୭ଦିନ ହେଲା ଅଫିସ କାର୍ଯ୍ୟ ଅଚଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଏବେ ସମସ୍ତ ବିଭାଗକୁ ଡିଜିଟାଲ କରଣ କରିବା ସହିତ ବିଭାଗର କାର୍ଯ୍ୟ ଗୁଡିକ କମ୍ପୁଟର ମାଧ୍ୟମରେ କରାଉଛନ୍ତି । ବିଶେଷକରି ନେଟ ମାଧ୍ୟମରେ ଅନେକ କାର୍ଯ୍ୟ କରାଯାଉଛି । କିନ୍ତୁ ଏହି ନେଟୱର୍କ ଫେଲ ଯୋଗୁଁ ହାଟଡିହି ତହସିଲରେ ଅଚଳାବସ୍ଥା ଦେଖା ଦେଇଛି । ଆଜକୁ ୭ଦିନ ହେଲା ହାଟଡିହି ତହସିଲ ଏକପ୍ରକାର ବନ୍ଦ କହିଲେ ଚଳେ । ଏଠାରେ ବିଏସଏନଏଲର ‘ଅସ୍ୱାନ’ ନେଟୱର୍କ ସଂଯୋଗ ଦିଆଯାଇଥିବାବେଳେ ମାସରେ ଅଧାଦିନ ଏହା ଅଚଳ ହୋଇ ପଡୁଛି । ବିଶେଷକରି ତହସିଲର ସମସ୍ତକାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯାଉଥିବାରୁ ନେଟୱର୍କ ନଥିବାରୁ ତହସିଲକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମି କବଲା କରିବା ପାଇଁ ଲୋକମାନେ ବାରମ୍ବାର ଦୌଡୁଥିବାବେଳେ ମିସ ସାଟିଫିକେଟ, ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଜମି ପଟ୍ଟା ଆଦି ପାଇବା ପାଇଁ ବାରମ୍ବାର ଦୌଡୁଛନ୍ତି । ଗତକାଲି ଅନେକ ଲୋକ ।ରମ୍ବାର ଫେରିବା ପରେ ତହସିଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟୁଛି ବୋଲି କହି ପ୍ରବଳ ପାଟିତୁଣ୍ଡ ମଧ୍ୟ କରିଥିଲେ । ଏନେଇ ତହସିଲ କର୍ତ୍ତୁପକ୍ଷ ବାରମ୍ବାର ଟେଲିକମ ବିଭାଗକୁ ଅବଗତ କରାଉଥିଲେବି ଟେଲିକମ ବିଭାଗର ଅଧିକାରୀ ମାନେ ଆଚଜି ହୋଇଯିବ କାଲି ହୋଇଯିବ କହି ସମୟ ଗଡାଇ ଚାଲିଛନ୍ତି । ଏପରିକି ଦୁଇଦିନ ହେଲା ଆଉ ଟେଲିକମ ଅଧିକାରୀମାନେ ଫୋନ ଉଠାଉ ନାହାନ୍ତି । ଏନେଇ ତହସିଲ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନେଟୱର୍କ ବିଛିନ୍ନ ଥିବା ଜଣାଯାଇଛି ।


