ନର ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ ପ୍ରଣବ କୁମାର ରାଉତରାୟ ଏକ ନର ହତ୍ୟା ମାମଲାର ବିଚାର କରି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା. ଜରିମାନା ଅନାଦେୟ ସ୍ଥଳେ ୧ ବର୍ଷ ଅଧିକ କାରାଦଣ୍ଡାଦେଶ ରାୟ ଦେଇଛନ୍ତି କୋୖର୍ଟ. ଏନେଇ ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି.ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ ମସିହା ମେ ମାସ ୨୯ ତାରିଖରେ ଗଜପତି ଜିଲ୍ଲା କାଶୀନଗର ଖାଣ୍ଡଵା ଗାଁର ସାମୁଏଲ ପାଲକା ଏବଂ ଧନୁର୍ଯ୍ୟୟ ଜେନା ମିଶି ଅର୍ମଡା ଗାଁର ଏକ ଦୋକାନରେ ରଙ୍ଗକାମ କରୁଥିଲେ. କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା. ସାମୁଏଲ ଉତ୍ୟକ୍ତ ହୋଇ ଧନୁର୍ଯ୍ୟୟକୁ ଏକ ଠେଙ୍ଗା ସାହାର୍ଯ୍ୟରେ ଆକ୍ରମଣ କରିଥିଲା. ଫଳରେ ଧନୁର୍ଯ୍ୟୟ ଏହି ଘଟଣା ସମ୍ପର୍କରେ କାଶୀନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିବା ସମୟରେ ସାମୁଏଲ ରାଗିଯାଇ ଏକ କୁରାଢ଼ି ସାହାର୍ଯ୍ୟରେ ଧନୁର୍ଯ୍ୟୟର ଗୋଡ଼କୁ ହାଣିଦେବା ସହ କେହି ଯେଭଳି ତା ନିକଟରୁ ସାହାର୍ଯ୍ୟ ପାଇଁ ନଆସନ୍ତି ସେଥିପାଇଁ ଜଗି ବସିଥିଲା. ଏହାର କିଛି ସମୟ ପରେ ଧନୁର୍ଯ୍ୟୟର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ସାମୁଏଲ ସେଠାରୁ ଚାଲିଯାଇଥିଲା. ତେବେ ଏହାରି ମଧରେ ବେଶ କିଛି ସମୟ ଚାଲି ଯାଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଧନୁର୍ଯ୍ୟୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା. ପରିବାର ଲୋକେ ଧନୁର୍ଯ୍ୟୟକୁ କାଶୀନଗର ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ଧନୁର୍ଯ୍ୟୟକୁ ମୃତ ଘୋଷଣା କରିଥିଲେ. ଏନେଇ ଧନୁର୍ଯ୍ୟୟଙ୍କ ସ୍ତ୍ରୀ ଇସାବନୀ କାଶୀନଗର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସାମୁଏଲକୁ ଗିରଫ କରି କୋୖର୍ଟଚାଲାଣ କରିଥିଲା. ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ ପ୍ରଣବ କୁମାର ରାଉତରାୟ ଏହି ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି. ଏହି ରାୟରେ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ସ୍ଥଳେ ୧ବର୍ଷ କାରାଦଣ୍ଡାଦେଶ ଦେଇଥିବା ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି.


