ଅଙ୍ଗନବାଡ଼ିରେ ଅଲିଚିକି ଭାଷାରେ ଶିକ୍ଷାଦାନ ପାଇଁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ଅନୁସୂଚିତ ଉପଜାତି ଶିଶୁଙ୍କୁ ଅଙ୍ଗନବାଡ଼ିରୁ ସାନ୍ତାଳୀ ଭାଷା ‘ଅଲିଚିକି’ରେ ଶିକ୍ଷାଦାନ ପାଇଁ ଦାବି ଉଠାଇଛି ଆଦିବାସୀ ସାମାଜିକ ଶିକ୍ଷା ଓ ସାସ୍କୃତିକ ସଂଘ । ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ଜିଲାପାଳଙ୍କୁ ସାକ୍ଷାତ ସହ ଅଲିଚିକି ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ବୃଦ୍ଧି ପାଉଥିବା ସରକାରୀ ଉଦାସୀନତା ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ୨୦୦୩ ମସିହାରୁ ଅଲିଚିକି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳିଥିବା ବେଳେ ଓଡ଼ିଶାର ମୟୂରଭଂଜ, କେନ୍ଦୁଝର ପ୍ରଭୃତି ଜିଲାରେ ଅଙ୍ଗନବାଡ଼ିରୁ ଶିଶୁମାନଙ୍କୁ ଅଲିଚିକି ଭାଷାରେ ଶିକ୍ଷାଦାନ କରାଯାଉଛି ।ଏନେଇ ଆଦିବାସୀ ଅଧୂଷିତ ଅଞ୍ଚଳ ଅଙ୍ଗନବାଡ଼ିରେ ଲିଚିକି ଭାଷା ଜାଣିଥିବା କର୍ମୀ ଓ ସହାୟିକା ନିଯୁକ୍ତି ଦିଆଯାଉଛି । ମାତ୍ର ବାଲେଶ୍ୱରରେ ଏହାର ଘୋର ବ୍ୟତିକ୍ରମ ହୋଇଥିବା ଆଦିବାସୀ ସାମାଜିକ ଶିକ୍ଷା ଓ ସାସ୍କୃତିକ ସଂଘ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ବାଲିଆପାଳ ବ୍ଲକର ସାଉଡ଼ି ପଞ୍ଚାୟତ ଅନ୍ତର୍ଗତ ଛୟାଳିଆ ଡିଗିରିପାହି ଅଞ୍ଚଳରେ ୮୦ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରୁଛନ୍ତି । ସେଠାରେ ଆଦିବାସୀ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଅଙ୍ଗନବାଡ଼ି ଖୋଲିବା ସହିତ ଅଲିଚିକି ଭାଷା ଶିଖିଥିବା ମହିଳାଙ୍କୁ କର୍ମୀଭାବେ ନିଯୁକ୍ତି ଦିଆଯାଉ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । କେବଳ ବାଲିଆପାଳ ନୁହେଁ ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ ଏହିଭଳି ସ୍ୱତନ୍ତ୍ର ଅଙ୍ଗନବାଡ଼ି ସ୍ଥାପନ ପାଇଁ ସେମାନେ ଦାବି କରିଛନ୍ତି । ସରକାର ତଥା ଜିଲା ପ୍ରଶାସନ ଉଚିତ ପଦକ୍ଷେପ ନେଲେ ସାନ୍ତାଳୀ ଭାଷା ‘ଅଲିଚିକି’ ପ୍ରଚାର ପ୍ରାସାର ସାଙ୍ଗକୁ ସମୃଦ୍ଧି ହୋଇ ପାରିବ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘର ସମ୍ପାଦକ ଦିଲୁ ମୁର୍ମୁ, ଉପସଭାପତି ଭୀମଚରଣ ଟୁଡୁ, ସହ-ସମ୍ପାଦକ ବାସୁଦେବ ମୁର୍ମୁ, ରବି ମୁର୍ମୁ, ଦୁର୍ଗା ମାଝୀ, ସୁମିତା ମୁର୍ମୁ, ସୀତା ମୁର୍ମୁ, ମୀନତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ