ଶିକ୍ଷୟତ୍ରୀଙ୍କ ଦୟାରେ ଚାଲିଛି ମଧ୍ୟାହ୍ନ ଭୋଜନ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ଶୀଳ ପୋଖରୀ ସ୍କୁଲରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବାରେ ଶିକ୍ଷା ବିଭାଗ ବିଫଳ ହୋଇଛି । ଏହି ବିଭାଗରେ ସର୍ବାଧିକ ଅଧିକାରୀ ଓ ସହ ଅଧିକାରୀ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଉକ୍ତ ସ୍କୁଲକୁ ଯାଇ ବିବାଦର ସମାଧାନ ପାଇଁ ବାଟ ଖୋଲିଲେନି । ଏପରିକି ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବେ ଆଇନ ଭାବେ ଏଠାରୁ ଡେପୁଟେସନରେ ନିଆଯାଇଥିଲେବି ସେ କିପରି ଦାୟିତ୍ୱ ହସ୍ତାନ୍ତର କରିବେ ସେନେଇ ଶିକ୍ଷା ଅଧିକାରୀ ମାନେ କୌଣସି ପଦକ୍ଷେପ ନନେବାରୁ ଏବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୟାରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଚାଲୁ ରହିଛି । ସ୍କୁଲ ଖୋଲିବାର ଦୀର୍ଘ ୧୧ମାସ ବିତି ଯାଇଥିଲେବି ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେବାରେ ସମର୍ଥ ହୋଇନି ଶିକ୍ଷା ବିଭାଗ । ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେବି ବ୍ଲକ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନନେବା ସେମାନଙ୍କୁ ଚକିତ କରିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟରେ ଜଣେ ଦୁଇଜଣ ଶିକ୍ଷକ କାର୍ଯ୍ୟ କରୁଥିବାବେଳେ ଯିଏ ପ୍ରଧାନ ଶିକ୍ଷକ ଦାୟିତ୍ୱ ବୁଝୁଥିଲେ ସେ ଏହି ସ୍କୁଲରେ ଡେପୁଟେସନରେ ଥବବାବେଳେ ତାଙ୍କୁ ପୁନର୍ବାର ଅନ୍ୟ ସ୍କୁଲକୁ ଡେପିଟେସନରେ ପଠାଇ ଦିଆଗଲା । ଯାହାକି ସମ୍ପୁର୍ଣ୍ଣ ବେଆଇନ । ସେହି ଶିକ୍ଷକ ଜଣକ କରୋନା ସମୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପଇସା ମଧ୍ୟ ପିଲାମାନଙ୍କୁ ଦେଇ ନାହାନ୍ତି । ଏହା ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ତାଙ୍କୁ ସେଠାରୁ ବଦଳି କରି ଆଣିଲେ । ସେଠାରେ କିଛିଦିନ ପାଇଁ ଜଣେ ମାତ୍ର ଶିକ୍ଷୟତ୍ରୀଙ୍କ ଦ୍ୱାରା ସ୍କୁଲଟି ଚାଲିଥିବା ବେଳେ ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିଲେ । ଗତ ଜୁଲାଇ ମାସରେ ଦୁଇଜଣ ଶିକ୍ଷୟତ୍ରୀଙ୍କୁ ଏଠାରେ ନିଯୁକ୍ତି ଦିଆଗଲା ଓ ସେମାନେ ଯାଇ କାର୍ଯ୍ୟରେ ଯୋଗଦେଲେ । କିନ୍ତୁ ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଜି ପର୍ଯ୍ୟନ୍ତ କୌଣସି ଚାର୍ଜ ଦେଇ ନଥିବାରୁ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ନିଜ ଖର୍ଚ୍ଚରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚଲାଇଛନ୍ତି । ସେହିପରି ଗତ ଅଗଷ୍ଟ ୧୫ତାରିଖ ସ୍ୱାôଦନତା ଦିବସ ପାଇଁ ପତାକା, ସୁତୁଲି, ମିଠାଇ ଆଦି ନିଜ ହାତରୁ ଖର୍ଚ୍ଚ କରିଥିଲେ । ହତାବାଡ ମେଲା ପଡିଥିବାବେଳେ ଶୌଚାଳୟଟି ମଧ୍ୟ ଭାଙ୍ଗି ପଡିଛି । ଏପରିକି ସ୍କୁଲରେ ରୋଷେଇ ସରଞ୍ଜାମ ନଥିବାବେଳେ ଏଥିପାଇଁ ଅନୁଦାନ ଆସିଥିଲେବି ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୌଣସି ଚାର୍ଜ ଦେଇ ନଥିବାରୁ ରୋଷେଇ ସରଞ୍ଜାମ କିଣାଯାଇ ପାରୁନି ଯାହାଦ୍ୱାରା କି ରୋଷେଇ କରିବାରେ ନାନା ସମସ୍ୟା ଦେଖା ଦେଉଛି ବୋଲି ସ୍କୁଲ କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ଜଣକ ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଉଥିଲେବି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେ ମାନଶିକ ଅଶାନ୍ତିରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଦ୍ୟାଳୟର ଦାୟିତ୍ୱ ବୁଝୁଥିବା ପୁର୍ବତନ ଶିକ୍ଷକଙ୍କୁ ଏନେଇ ଚିଠି କରାଯାଇଥିଲା, ସେ କିନ୍ତୁ ଆଜି ପର୍ଯ୍ୟନ୍ତ ଧରାଛୁଆଁ ଦେଉ ନାହାନ୍ତି । ଦିନେ ଦୁଇଦିନ ମଧ୍ୟରେ ସେ ଆସି ଚାର୍ଜ ଦେବେ ବୋଲି କହୁଥିବା ମୁଁ ଶୁଣୁଛି ବୋଲି କହିଛନ୍ତି । ଜଣେ ଶିକ୍ଷକଙ୍କ ଏପରି ମନୋମୁଖୀ କାର୍ଯ୍ୟକୁ ଶିକ୍ଷା ବିଭାଗ କାହିଁକି ତାଙ୍କପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛି ତାହା ବୁଝା ପଡୁନି । ଜିଲ୍ଲା ଶିକ୍ଷା ଅଧିକାରୀ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।