ପରମିଟ ପଡ଼ିଆରେ ଭେଟେରାନ କ୍ରୀଡ଼ା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଭେଟେରାନ କ୍ରୀଡ଼ା ସଂଘ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ରବିବାର ଭେଟରାନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଶୋକ ପାଣିଗ୍ରାହୀ ଓ ସମ୍ପାଦକ ପଦ୍ମଲୋଚନ ଲେଙ୍କା କ୍ରୀଡ଼ା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ମନୋଜ କୁମାର ଦାସ, ହରେନ ଚନ୍ଦ୍ର ରଣା, କାର୍ତ୍ତିକ ଚନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ସାହୁ, ଜଗଦ୍ଦୀଶ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ଆଶ, ଧର୍ମେନ୍ଦ୍ର କୁମାର ଗିରି ପ୍ରମୁଖ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ୪୦ ବର୍ଷରୁ ୮୦ ବର୍ଷ ପର୍ଯ୍ୟନ୍ତ ବୟସ୍କ ଉଭୟ ପୁରୁଷ ଓ ମହିଳା ବର୍ଗର ଶତାଧିକ ଭେଟରାନ କ୍ରୀଡ଼ାବିତ ଏଥିରେ ଅଂଶଗ୍ରହଣ କରିଥିଲେ । ମହିଳାମାନେ ୱାକ, ଦୌଡ଼, ଡିକସ ଥ୍ରୋ, ଜେଭଲିନ ଥ୍ରୋ, ଫୁଟବଲ, ଭଲିବଲ, ମ୍ୟୁଜିକ ଚେୟାର ପ୍ରଭୃତି ବିଭାଗରେ ଓ ପୁରୁଷମାନେ ୱାକ, ଦୌଡ଼, ଫୁଟବଲ, ଭଲିବଲ ସାଙ୍ଗକୁ ସାଇକେଲ ଚାଳନା, ମୋଟର ସାଇକେଲ ଚାଳନା, ଦୌଡ଼ିଟଣା ଆଦି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।