ଚାଷୀଙ୍କ ଟୋକନ ରଦ୍ଦକୁ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ୬ଟି ସମବାୟ ସମିତି ଓ ଗୋଟିଏ ସ୍ୱୟଂ ସହାୟୀକା ଗୋଷ୍ଠୀ ମାଧ୍ୟମରେ ଧାନ ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ କରାଯାଉଛି । ଗତ ମାର୍ଚ୍ଚ ୧୨ ତାରିଖରୁ କ୍ରମାନ୍ୱୟରେ ୧୭ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କର ଥିବା ସମସ୍ତ ଟୋକନକୁ ରଦ୍ଧ କରାଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ସୋମବାର ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଅଭିଯୋଗ ମୁତାବକ ଉକ୍ତ ଦିନ ମାନଙ୍କରେ ୭ଶହରୁ ଉର୍ଦ୍ଧ୍ୱ ଚାଷୀଙ୍କ ଟୋକନ ରଦ୍ଦ ହେବା ଫଳରେ ଚାଷୀମାନଙ୍କ ନିକଟରେ ହଜାର ହଜାର କ୍ୱିଟାଲ ଧାନ ଗଚ୍ଛିତ ହୋଇ ରହିଛି । ଧାର ଉଦ୍ଧାର କରି ଧାନ ଚାଷ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସରକାରଙ୍କ ତରଫରୁ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି କୁହାଯାଇଥିବା ବେଳେ ଚାଷୀମାନେ ଆବଶ୍ୟକୀୟ କାଗଜପତ୍ର ଦେଇ ନାମ ପଂଜୀକୃତ କରିଥିଲେ । ଯେଉଁ ଚାଷୀମାନଙ୍କର ଟୋକନ ରଦ୍ଦ ହୋଇଛି ପୁନର୍ବାର ସେମାନଙ୍କୁ ଟୋକନ ପ୍ରଦାନ ପୂର୍ବକ ଧାନ ସଂଗ୍ରହ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗପତ୍ରକୁ ବିଜୟ ମହାନ୍ତି, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ତ୍ରିଲୋଚନ ରାଉତ, ଜଳଧର ଦାସ, ଚତୁଭୂଜ ମହାନ୍ତି ଆଦି ପ୍ରଦାନ କରିଛନ୍ତି । ଅଭିଯୋଗ ପାଇବା ପରେ ଉକ୍ତ ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ ବୋଲି ବିଡିଓ ରଶ୍ମିରେଖା ମଲ୍ଲିକ ମତବ୍ୟକ୍ତ କରିଛନ୍ତି ।


