ଦୃଷ୍ଟିଶକ୍ତି ହରାଇଥିବା ମନ୍ମଥ ଓ ତାଙ୍କ ପରିବାରକୁ ଭେଟିଲେ ବିଶ୍ୱନାଥ ପ୍ରତାପ ଜେନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗ୍ରାମର ମନ୍ମଥ ମହାନ୍ତି ନାମକ ଜଣେ ବ୍ୟକ୍ତି ଯୁବା ବୟସରେ ଦୃଷ୍ଟିଶକ୍ତି ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବିଜେଡିର ଯୁବନେତା ଇଂ ବିଶ୍ୱନାଥ ପ୍ରତାପ ଜେନା ଓ ତାଙ୍କ ପତ୍ନୀ ଓରାଳି ଗ୍ରାମକୁ ଯାଇ ମନ୍ମଥଙ୍କୁ ଭେଟିବା ସହିତ ତାଙ୍କ ପରିବାର ସହିତ ତାଙ୍କର ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଆସନ୍ତା ୧୧ତାରିଖ ଦିନ ତାଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯିବା ପାଇଁ ସେ ଡାକ୍ତରଖାନାକୁ ଯିବାର ଥିବାରୁ ବିଶ୍ୱନାଥ ବାବୁ ଡାକ୍ତରଙ୍କ ସହିତ କଥା ହେବାସହ ତାଙ୍କୁ ଡାକ୍ତରଖାନା ନେବା ଆଣିବା କରିବା ଓ ସମ୍ପୁର୍ଣ୍ଣ ଆରୋଗ୍ୟ ପର୍ଯ୍ୟନ୍ତ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଭେଟିବା ସମୟରେ ଗୋଟିଏ ମାସର ରେସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ ଓରାଳି ଗ୍ରାମର ସ୍ୱର୍ଗତ ନାରାୟଣ ମହାନ୍ତିଙ୍କ ପୁଅ ମନ୍ମଥ ମହାନ୍ତି(୪୬) ଓ ତାଙ୍କ ସ୍ତ୍ରୀ, ଦୁଇ ପୁଅଝିଅ, ବୃଦ୍ଧା ମାଙ୍କୁ ନେଇ ତାଙ୍କ ସଂସାର । ଗାଁମୁଣ୍ଡ ସ୍କୁଲ ନିକଟରେ ଏକ ପାନଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ସେ ମଧୁମେହ ରୋଗରେ ପିଡିତ ଥିବାବେଳେ ଗତବର୍ଷ ହଠାତ ତାଙ୍କର ଗୋଟିଏ ଆଖିକୁ ଭଲ ଦେଖାଗଲାନି । ଏନେଇ ସେ ଡାକ୍ତରଖାନା ଯିବାପରେ ତାଙ୍କର ଆଖିର ଅପରେସନ ହେବ ବୋଲି ଡାକ୍ତର କହିବାରୁ ଗୋଟିଏ ଆଖି ଅପରେସନ ହେଲା । କିନ୍ତୁ ପରେ ପରେ ଆର ଆଖିକୁ ମଧ୍ୟ ଦେଖାଗଲାନି । ତେଣୁ ପୁନର୍ବାର ଡାକ୍ତରଖାନାକୁ ଯାଇ ଦେଖାଇବାପରେ ଅନ୍ୟ ଆଖିକୁ ଅପରେସନ ଦରକାର ବୋଲି କହିଥିଲେ । ଗାଁଲୋକଙ୍କ ସାହାଯ୍ୟ ସହଯୋଗରେ ଦୁଇଟିଯାକ ଆଖିକୁ ଅପରେସନ କରାଇବାପରେ ସେ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ସେହିଦିନ ଠାରୁ ଦୋକାନ ବନ୍ଦ ହୋଇଯିବାପରେ ଏବେ ପରିବାରଟି ସମ୍ପୁର୍ଣ୍ଣ ଅସହାୟ ହୋଇପଡିଛି । ଘରେ ଖାଇବାକୁ ଦୁଇଓଳି ନଥିବାବେଳେ ପିଲା ମାନଙ୍କ ପାଠପଢ଼ା ଖର୍ଚ୍ଚ ଓ ପରିବାରର ତେଲଲୁଣ ସଂସାର ଓ ଔଷଧ ବୋଝ ପରିବାରକୁ ଦୁର୍ଦ୍ଦନକୁ ଟାଣି ନେଇଛି ।