ଛାତ ପାଇଁ ଟଙ୍କା କାଟିଦେବାରୁ ବାଲିବରେଇ ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ଏକ ପାଠାଗାର ଗୃହ ନିର୍ମାଣ କରାଯାଉଥିବାବେଳେ କନିଷ୍ଠଯନ୍ତ୍ରୀ କାମ ନଦେଖି ଅତ୍ୟଧିକ ବିଲ କରିଦେବାରୁ ସରପଞ୍ଚ ବିଡିଓଙ୍କୁ କହି ଟଙ୍କା କମାଇଦେବାରୁ ସରପଞ୍ଚଙ୍କ ବିରୁଦ୍ଦରେ ନାନା ମିଥ୍ୟା ଅଭିଯୋଗ ମାନ କରାଯାଉଥିବା ସରପଞ୍ଚ ଓ ତାଙ୍କ ପ୍ରତିନିଧି ଅଭିଯୋଗ କରିଛନ୍ତି । ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କ କହିବାନୁଯାଇ ତାଙ୍କ ପଞ୍ଚାୟତର ୬ନଂ ୱାର୍ଡରେ ପାଠାଗାର ଗୃହ ନିର୍ମାଣ ପାଇଁ ସିଏଫସି ଅନୁଦାନରୁ ୨ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଗାଁର କିଛି ଯୁବକ ଏହି ଘର ନିର୍ମାଣ କରିଥିଲେ । ମାତ୍ର ଘରର ଛାତ ପଡି ନଥିଲେବି କନିଷ୍ଠଯନ୍ତ୍ରୀ ଏ ବାବଦକୁ ୧ଲକ୍ଷ ୯୧ହଜାର ୮୪୦ଟଙ୍କାର ବିଲ୍ କରି ଦେଇଥିଲେ । କନିଷ୍ଠଯନ୍ତ୍ରୀ କାମ ଦେଖିବାକୁ ନଯାଇ କିପରି ଏତେ ଟଙ୍କାର ବିଲ କରିଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାତ୍ର ଅଢ଼େଇ ଲକ୍ଷ ଟଙ୍କାର କାମରେ ଛାତ ନପଡି, କବାଟ ଝରକା ନଲାଗି, ପ୍ଲାଷ୍ଟର ନହୋଇ ଲକ୍ଷେ ୯୧ହଜାର ବିଲ କରାଯିବା ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହା ଜାଣିବାପରେ ସରପଞ୍ଚଙ୍କ ପ୍ରତିନିଧି ତୁରନ୍ତ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଯେ ଘରର ଛାତ ପଡି ନାହିଁ, ପ୍ଲାଷ୍ଟର ଓ କବାଟ ଝରକା ଲାଗି ନାହିଁ, ଏତେ ପରିମାଣର ବିଲ୍ କରିଦେଲେ ଆଉ କାମ ହେବନାହିଁ ବୋଲି କହିବାରୁ ସେଥିରୁ ୫୦ହଜାର ଟଙ୍କାର କାଟି ରଖାଯାଇ ୧ଲକ୍ଷ ୪୧ହଜାର ଟଙ୍କାର ବିଲ୍ ପାସ କରାଯାଇଥିଲା । କିନ୍ତୁ ବ୍ଲକର ଜଣେ କର୍ମଚାରୀ ଭୁଲକ୍ରମେ ୧ଲକ୍ଷ ୯୧ହଜାର ୮୪୦ଟଙ୍କାର ବିଲ ପାସ କରାଇଦେଇଥିଲେ । ପଞ୍ଚାୟତ କର୍ତ୍ତୁପକ୍ଷ ସେଥିରୁ କାମ କରୁଥିବା ପିଲାମାନଙ୍କୁ ୧ଲକ୍ଷ ୪୧ହଜାର ଟଙ୍କା ଦେଇ ବଳକା ଟଙ୍କାକୁ ପଞ୍ଚାୟତ ଫଣ୍ଡରେ ରଖାଯାଇଥିଲା । କିନ୍ତୁ କିଛି ଲୋକ ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚ ଓ ତାଙ୍କ ପ୍ରତିନିଧିଙ୍କ ନାମରେ ମିଥ୍ୟା ଅଭିଯୋଗ ମାନ କରୁଥିବା ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ଅଭିଯୋଗ କରିଛନ୍ତି । ତାଙ୍କ ପଞ୍ଚାୟତରେ ପୁର୍ବରୁ ଅନେକ ଅନିୟମିତତା ହୋଇଥିବା ବେଳେ ଏବେ ସେ ସେଥିରେ ସ୍ୱଚ୍ଛତା ଆଣିବାପାଇଁ ଚେଷ୍ଟା କରୁଥିବାରୁ କିଛି ସ୍ୱାର୍ଥନ୍ୱେସୀ ବ୍ୟକ୍ତି ତାଙ୍କ ନାମରେ ମିଥ୍ୟା ଅଭିଯୋଗ ମାନ ଆଣି ନିନ୍ଦିତ କରିବାକୁ ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି ।