ବାଲୁଙ୍କେଶ୍ୱରଙ୍କ ନଗର ଭ୍ରମଣ ଓ ପ୍ରତିଷ୍ଠା ଉତ୍ସବ ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଗ୍ରାମରେ ବିଜେ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ଜୀର୍ଣ୍ଣଦ୍ଧାର ପ୍ରତିଷ୍ଠା ଉତ୍ସବ ସୋମବାର ଭବ୍ୟ ସ୍ୱାଗତ ଓ ଭକ୍ତିପୂତ ପରିବେଶରେ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି।ପାଞ୍ଚଦିନ ବ୍ୟାପି ଏହି ପ୍ରତିଷ୍ଠା ଉତ୍ସବର ଅନ୍ତିମ ଦିବସରେ ପୂଜାର୍ଚ୍ଚନା ସାରି ଏକ ସୁଶୋଭିତ ବିମାନରେ ବସାଇ ପ୍ରଭୁଙ୍କୁ ନଗର ଭ୍ରମଣ କରା ଯାଇଥିଲା ହୁଳହୁଳି, ଶଙ୍ଖନାଦ, ଶ୍ରୀରାମଙ୍କ ଦଶ ଅବତାର କଳାକୁଞ୍ଜ,ମହିଳା ହରିନାମ ସଂକୀର୍ତ୍ତନଦଳ, ଢୋଲ,ଟମକା ଓ ମୃଦଙ୍ଗ ବାଦ୍ୟରେ ଗ୍ରାମ୍ୟ ପ୍ରକମ୍ପିତ ହୋଇଥିଲା। ପୂର୍ଣ୍ଣ କୁମ୍ଭ,ନଡ଼ିଆ,ଧୂପ ଦୀପ ପୂଜା ଲାଗି କରି ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ପ୍ରଭୁଙ୍କ ଦିବ୍ୟଦର୍ଶନ ପାଇ କୃପାଭିକ୍ଷା କରିଥିଲେ। ଦେବତା ନଗର ଭ୍ରମଣ ଓ ଧ୍ବଜା ଭ୍ରମଣ ନୀତି ସମ୍ପନ୍ନ ହେବା ପରେ ଶ୍ରୀ ବାଲୁଙ୍କେଶ୍ୱର ଭବ୍ୟ ଓ ଦିବ୍ୟ ମନ୍ଦିରର ସିଂହାସନ ଆରୋହଣ କରିଥିଲେ।ପରେ ପୂର୍ଣାହୁତି ସମାପନ ପରେ ପ୍ରସାଦ ସେବନ ବ୍ୟବସ୍ଥା ଆୟୋଜିତ ହୋଇଥିଲା।ସ୍ଥାନୀୟ ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶନାର୍ଥୀ, ଶ୍ରଦ୍ଧାଳୁ ଓ ଭକ୍ତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିବ୍ୟ ଅନୁଭୂତି ପ୍ରାପ୍ତ ହୋଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ତଥା ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, କୃଷି ସୂଚନା ଓ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳାଇ, ହିଞ୍ଜିଳିକାଟୁ ବ୍ଲକ ଡିଜିଟାଲ ସମ୍ପାଦକ ଲଡୁ କିଶୋର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ସହଯୋଗ ଯୋଗୁଁ ଶାନ୍ତି ଶୃଙ୍ଖଳାର ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଉତ୍ସବ ମୁଖରିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ