ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ବୈଷୟିକ ଶିକ୍ଷା ତାଲିମ କର୍ମଶାଳା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏକ ବୈଷୟିକ ଶିକ୍ଷା ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହର ସନ୍ନିକଟ ଠାକୁରହାଟସ୍ଥିତ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରରେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ବୈଷୟିକ ଶିକ୍ଷାର ଗୁରୁତ୍ୱ ଏବଂ ସୁଦକ୍ଷ ଯୋଜନା ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ । ଛତାସ୍ଥିତ ସରକାରୀ ପଲିଟେକିନିକ୍, କେନ୍ଦ୍ରାପଡାର ଅଧ୍ୟକ୍ଷ ଗୁଣନିଧି ଜେନା ଯୋଗଦେଇ ଡିପ୍ଲୋମା ଆଡମିସନ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ସରକାରୀ ପଲିଟେକିନିକ୍ରେ କିପରି ଶତକଡା ୩୩ପ୍ରତିଶତ ବାଳିକା ଆଡମିସନ କରିବେ ସେ ବିଷୟରେ ଆଲୋଚନା କରିଥିଲେ । ଡେରାବିଶ ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଇଛୁକ ଛାତ୍ରଛାତ୍ରୀମାନେ ୩ଟି ନୋଡାଲ ବିଦ୍ୟାଳୟରେ ଚଳିତମାସ ୬,୭ ଓ ୮ତାରିଖରେ ସାମସ୍ ପୋଟାଲ ମାଧ୍ୟମରେ ସରକାରୀ ପଲିଟେକନିକରେ ଆଡମିସନ ନିମନ୍ତେ ପଞ୍ଜିକରଣ କରିବାକୁ ସ୍ଥିର କରାଯାଇଥିଲା ।