କୃଷି ଓ ଆଦିବାସୀ ସ୍ବରାଜ ସମାଗମ ରେ ଯୋଗଦେଲେ ଅସ୍ତରଙ୍ଗ ଯୁବକ

ନିମାପଡ଼ା, (ସନ୍ତୋଷ ଦାଶ):ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶ ପ୍ରଭୃତି ୩ ଗୋଟି ରାଜ୍ୟର ୬,୫୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକଙ୍କୁ ନେଇ ରାଜସ୍ଥାନର ବଂଶୱାଡା ଜିଲ୍ଲା ପ୍ରସିଦ୍ଧ ତ୍ରିପୁରା ସୁନ୍ଦରୀ ମନ୍ଦିର ନିକଟ ମଇଦାନରେ ଆୟୋଜିତ ହୋଇଯାଇଛି ୩ ଦିନିଆ କୃଷି ଓ ଆଦିବାସୀ ସ୍ବରାଜ ସମାଗମ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ଯୁବ ଜଳବାୟୁ ପରିବର୍ତ୍ତନ କର୍ମୀ ତଥା ଜାତିସଂଘ ଭାରତର ଯୁବ ଅଧିବକ୍ତା ସୌମ୍ୟ ରଞ୍ଜନ ବିଶ୍ଵାଳ ଯୋଗଦେଇଛନ୍ତି । ଆଦିବାସୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ଯୁବ ପିଢୀଙ୍କ ଭୂମିକା ବିଷୟରେ ଯୁବ ବିଶେଷଜ୍ଞ ଭାବେ ଯୋଗଦେଇ ଉପକୂଳ ଅଞ୍ଚଳର ଜଳବାୟୁ ପରିବର୍ତ୍ତନ ଓ ଏହାର ନିୟନ୍ତ୍ରଣ ଦିଗରେ ସ୍ଥାନୀୟ ସମୁଦାୟଙ୍କ ଭାଗିଦାରୀ କାହାଣୀ ଉପସ୍ଥାପନା କରିଛନ୍ତି । ଏଥିସହିତ ଆଦିବାସୀ ଅଞ୍ଚଳରେ ଜମି, ଜଳ ଓ ଜଙ୍ଗଲ ଉପରେ ମାତ୍ରାଧିକ ଚାପ ଫଳରେ ଜଳବାୟୁ ପରିବର୍ତ୍ତନ କିପରି ଅଧିକ ସଙ୍କଟ ସ୍ଥିତି ଦେଇ ଗତିକରୁଛି ଏବଂ ଜମି, ଜଳ ଓ ଜଙ୍ଗଲ ବିନା କିପରି ମନୁଷ୍ୟ ସଭ୍ୟତା ତିଷ୍ଠିବା ଅସମ୍ଭବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ବିଗିଡ଼ି ଯାଉଥିବା ଦେଶୀୟ ଜଙ୍ଗଲ, ତୃଣଭୂମି ଓ ମରୁଭୂମି ପରିସଂସ୍ଥାନ, ବର୍ଷା ଜଳ ସଂରକ୍ଷଣ, ଜଙ୍ଗଲ ନିଆଁ ନିୟନ୍ତ୍ରଣ, ବନ୍ୟଜନ୍ତୁ ସଂରକ୍ଷଣ ପ୍ରଭୃତି ଦିଗରେ ଆଦିବାସୀ ଅଞ୍ଚଳର ଯୁବପିଢୀ ନେତୃତ୍ଵ ନେଇପାରିଲେ ପରିବେଶ ସନ୍ତୁଳନତା ରକ୍ଷା ହେବା ସହିତ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ସହାୟ ହୋଇ ପାରିବ ବୋଲି ଶ୍ରୀ ବିଶ୍ଵାଳ ଉପସ୍ଥିତ ଆଦିବାସୀ ସମୁଦାୟର ଯୁବ ପିଢ଼ିକୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଶକ୍ତି ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ ,ଜମି ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ସଂସ୍କୃତି ଓ ପରମ୍ପରା ସଂରକ୍ଷଣ ମାଧ୍ୟମରେ କିପରି ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ପ୍ରଶମନ କରିବା ନେଇ ୪ ଗୋଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ୪ଗୋଟି ବର୍ଗରେ ବିଭକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଦେଶର ବିଭିନ୍ନ ଅନୁଭବୀ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀଲୋକଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ଏହାର ସମାଧାନର ନେତୃତ୍ଵ ବିକାଶ ଦିଗରେ ପ୍ରାଧାନ୍ୟ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ