ଆଜି ହେଉଛି ବିଶ୍ୱ ଧଳାବାଡି ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାୟତ୍ରୀ ମନ୍ତ୍ର ଧ୍ୱନିରେ କମ୍ପିଲା ରାଜାରାଣୀ ମନ୍ଦିର ପରିସର । ଫୁଲ, ଚନ୍ଦନ, ସିନ୍ଦୂର ଦେଇ ଧଳାବାଡିକୁ ଭକ୍ତି, ଶ୍ରଦ୍ଧା ଓ ସମ୍ମାନର ସହ ପୂଜା କରିଛନ୍ତି ରାଜ୍ୟର କିଛି ଦୃଷ୍ଟିବାଧିତ ଉଦୀୟମାନ୍ ଖେଳାଳି । ବିଶ୍ୱ ଧଳାବାଡି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଳା ଭୁବନେଶ୍ୱର ସ୍ଥିତ ଐତିହ୍ୟ ସମ୍ପନ୍ନ ରାଜାରାଣୀ ମନ୍ଦିର ପରିସରରେ । ସାରା ବିଶ୍ୱକୁ ଦେଇଥିଲେ ଧଳାବାଡି ମହତ୍ୱ ସମ୍ପର୍କରେ ବଳିଷ୍ଠ ସନ୍ଦେଶ ।ଧଳାବାଡି ହେଉଛି ଆମ ହୃଦୟର ସ୍ପନ୍ଦନ, ଆମ ସମ୍ମାନ, ଆମ ସ୍ୱାଭିମାନ, ଆମ ଧନସଙ୍ଖାଳି, ଆମ ନୟନପିତୁଳା, ଆମ ବନ୍ଧୁପରି । କେବେ ବି ଏହାକୁ ନ୍ୟୁନ ମଣିବା ନାହିଁ । ସଦାସର୍ବଦା ଏହା ବିପଦଆପଦରେ ସାହା ହୋଇଥାଏ । ଏ ବାଡି ଦ୍ୱାରା ଆମେ ବିଶ୍ୱକୁ ଜିଣିପାରିବା ବୋଲି ଯୋଗଦେଇଥିବା ଖେଳାଳିମାନେ ମତ ପ୍ରକାଶ କରିଥିଲେ । ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ତଥା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ ଯୋଗଦେଇ କହିଥିଲେ, ଆମ ରାଜ୍ୟରେ ପାଖାପାଖି ୭୦ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ଧଳାବାଡି ବ୍ୟବହାର କରନ୍ତି ନାହିଁ । ରାଜ୍ୟର ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ଅନୁଧ୍ୟାନ କଲେ ଜଣାପଡ଼େ ହାତଗଣତି କେତେଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନେ କାହାର ହାତ ଓ ଡେଣାକୁ ଧରି ଆତଯାତ କରିଥାନ୍ତି । ସେଥିମଧ୍ୟରୁ ଅନେକ ଲୋକ ଲଜ୍ଜ୍ୟା ଓ ଟାହିଟାପରା ଭୟରେ ଧଳାବାଡିକୁ ବ୍ୟବହାର କରନ୍ତି ନାହିଁ ବୋଲି ଶ୍ରୀ ନାୟକ ଉଦ୍ବେଗ ପ୍ରକାଶ କରିଥିଲେ । ଆମ ରାଜ୍ୟର ରାଜ୍ୟ ସରକାର ଦୃଷ୍ଟିବାଧିତମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଧଳାବାଡି ଦେଉଛନ୍ତି ସତ । କିନ୍ତୁ ଏ ବାଡିକୁ ଧରି ଚାଲିବାର ଯେଉଁ ସବୁ ପ୍ରଶିକ୍ଷଣ କୌଶଳ ଆବଶ୍ୟକ ଥାଏ ତାହା ରାଜ୍ୟରେ ଉପଲବ୍ଧ ନାହିଁ । ନା ଅଛି ଓରିଏଣ୍ଟେସନ୍ ମୋବିଲିଟି ଟ୍ରେନିଂ ସେଣ୍ଟର ନା ଅଛନ୍ତି ଦକ୍ଷ ପ୍ରଶିକ୍ଷକ । ଏ ନେଇ ପ୍ରତି ଜିଲ୍ଲାରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ସାମାଜିକ କର୍ମୀ ସୁଶାନ୍ତ ସାହୁ ସରକାରଙ୍କ ନିକଟରେ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, କୋଷାଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା, ବରିଷ୍ଠ ପରାମର୍ଶଦାତା ଚନ୍ଦ୍ରଶେଖର ପାଲ, ଅମରନାଥ ସିଂହସାମନ୍ତ, ପ୍ରମୁଖ ଯୋଗଦେଇ ଧଳାବାଡିର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାମାଜିକକର୍ମୀ ସନ୍ତୋଷ କୁମାର ଜେନା, ଚନ୍ଦନ କୁମାର ପାହାଡ଼ାସିଂହ, ରଞ୍ଜନ ଦଳେଇ ପ୍ରମୁଖ ସହଯୋଗ କରିଥିଲେ ।


