ରାଷ୍ଟ୍ରୀୟ ଏକତା ଦିବସ- ୨୦୨୩ ଶପଥ ପାଠ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆଜି କଲେକ୍ଟୋରେଟ୍ ପରିସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସକାଳ ଘ. ୧୦.୩୦ ଟା ସମୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀବୃନ୍ଦଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରାଇଥିଲେ I ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାକୁ ନିଜକୁ ସମର୍ପିତ କରିବା ପାଇଁ ଏହି ସଭାରେ ଉପସ୍ଥିତ ଅଧିକାରୀମାନେ ଏକତ୍ରିତ ହୋଇ ଶପଥ ପାଠ କରିଥିଲେ I ଏହି ଶପଥ ପାଠ ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରେରଣ କରିବା ପାଇଁ ସମସ୍ତ ଅଧିକାରୀଗଣ ସଂକଳ୍ପ ନେଇଥିଲେ। ଯଥାରୀତିରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରାଇବା ପାଇଁ ସମସ୍ତେ ନିଜର ସମ୍ପୂର୍ଣ୍ଣ ଯୋଗଦାନ ପାଇଁ ସତ୍ୟନିଷ୍ଠ ବୋଲି ଶପଥ ନେଇଥିଲେ। ଏଥି ସହିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନୀତି ଓ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିବା ପାଇଁ ଶ୍ରୀ ଭୂୟାଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାପାଇଁ ଆଶାପୋଷଣ କରିଥିଲେ। ଏହି ଶପଥ ପାଠ ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ସହକାରୀ ଜିଲ୍ଲାପାଳ ଶ୍ରୀ ଜଗନ୍ନାଥ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ I