ପାରଳା ବିଧାୟକଙ୍କ ଦ୍ୱାରା ଉଲ୍ଲାଭଦ୍ରା ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଶିଳାନ୍ୟାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକର ଉଲ୍ଲାଭଦ୍ରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ କୋଠା ଉଦ୍ଘାଟନ ସହ ନୂତନ ଶ୍ରେଣୀ ଗୃହ ସକାଶେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଉଦ୍ଘାଟନ କରିବା ସହ ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ନେଇ ପ୍ରଶଂସା କରିଥିଲେ । ସମସ୍ତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଇ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଏହାକୁ ରୂପାନ୍ତରିତ କରିବା ସକାଶେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, କାଶୀନଗର ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାଜ୍ଞା ଓ ଉପାଧକ୍ଷ ଏସ୍. କଲ୍ୟାଣୀ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀମାନଙ୍କ ଶିକ୍ଷାକ୍ଷେତ୍ରରେ ଏହି ଅନୁଷ୍ଠାନର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅଭହିତ କରିଥିଲେ | ବିଶିଷ୍ଟ ଅତିଥି ଭାବେ ସରପଞ୍ଚ ଗୋପାଳ ଗମାଙ୍ଗ, ସମିତିସଭ୍ୟା ପାର୍ବତୀ ଗମାଙ୍ଗ, ଜଗନ୍ନାଥ ଦୋରା, ଆର୍.ମଧୁ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ କମିଟି ସଭାପତି ଏମ୍. ରାମାରାଓ ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ଅମୂଲ୍ୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନା, ପ୍ରଧାନଶିକ୍ଷକ ପି. ନାଗଭୂଷଣ ରାଓ ସଂଯୋଜନା କରିଥିବାବେଳେ ବୁଦ୍ଧଦେବ ଭୂୟାଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |


