ବାତ୍ୟା ଯୋଗୁ ଗଛ ପଡି ଚାଳଛପର ଘର ନଷ୍ଟ

ବନ୍ତ, (ଚାନ୍ଦିନୀ ମହାନ୍ତି):ବାତ୍ୟା ‘ଦାନା’ ଯୋଗୁ ଆଜି ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଛି । ୧୦ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ସମେତ ୬୯ଟି କେନ୍ଦ୍ରରେ ରଖାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି । ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଲୋକ ମାନଙ୍କୁ ୧୭ କୁଇଁଣ୍ଟାଲ ଚୂଡା ଓ ୨ କୁଇଁଣ୍ଟାଲ ଗୁଡ ବଣ୍ଟନ କରାଯାଇଛି । ବ୍ଲକର ୭୫ ଗ୍ରାମର ୧୫ ହଜାରରୁ ଅଧିକ ଲୋକ ଓ ୨୦ ହଜାରରୁ ଅଧିକ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଥିବା ଜଣାଯାଇଛି । ସେହିପରି ବାତ୍ୟା ଯୋଗୁ ବ୍ଲକର ୪ ହଜାର ୮ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ୭୫ଟି ଅଙ୍ଗନୱାଡି କେନ୍ଦ୍ର, ୯୭ଟି ସ୍କୁଲ, ୮ଟି ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ର, ୧୦ଟି ମେଡିକାଲ ସବ୍ ସେଣ୍ଟର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମୁକାବିଲା ପାଇଁ ୫ଟି ଡାକ୍ତରୀ ଦଳ, ୯ଟି ପ୍ରାଣୀ ଚିକିତ୍ସା ଦଳ ଓ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସେହିପରି ବାତ୍ୟା ମୁକାବିଲା କାର୍ଯ୍ୟରେ ୮ଟି ଡି.ଜି ସେଟ୍ ଓ ୩ଟି ପାଣି ଟାଙ୍କି ନିୟୋଜିତ ହୋଇଥିବା ଜଣାଯାଇଛି । ବିଭିନ୍ନ ସ୍ଥାନରେ ଚାଳଛପର ଘର ନଷ୍ଟ ହୋଇଥିବା ବେଳେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି । ବ୍ଲକର ୨୩ରୁ ଅଧିକ ଚାଳଛପର ଘର ନଷ୍ଟ ହେବା ସହ ୩୦ରୁ ଅଧିକ ଗଛ ଉପୁଡି ପଡିଥିବା ସୂଚନା ମିଳିଛି । ୧୧ଟି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ୭ଟି ସ୍ଥାନରେ ରାସ୍ତାକୁ ସଫା କରାଯାଇଛି । ବିଶେଷକରି ଗୋପୀନାଥପୁର, ଚାରିଗାଁ, ଅଣିଜୋ, ବଡମହିଷଗୋଠ, ବିଟିପୁର, ବଡବର୍ଚ୍ଚିକୟାଁ, କାଦବରାଙ୍ଗ, ଓଡଙ୍ଗ, ପୁରୁଷଣ୍ଢ, ଆଡିଆ ଆଦି ପଞ୍ଚାୟତରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ୨୫ ପଞ୍ଚାୟତର ନୋଡାଲ ଅଫିସର ମାନେ ଦିନରାତି କାର୍ଯ୍ୟ କରି ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ କେନ୍ଦ୍ରରେ ରଖି ଶୁଖିଲା ଓ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି । ଆଗରପଡା-ଗୋପୀନାଥପୁର ରାସ୍ତାର ଅମରସିଂହପୁର ଓ ନୂଆ ପୋଖରୀ ରାସ୍ତାରେ ଗଛ ପଡି ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ଏହାକୁ ସଫା କରାଯାଇଛି । ବିଭିନ୍ନ ଗ୍ରାମରେ ଗଛ ଉପୁଡି ବାସଗୃହ, ଗୁହାଳଘର, ବିଦ୍ୟାଳୟର ଆଜବେଷ୍ଟସ୍‌, ସାଇକେଲ ଷ୍ଟାଣ୍ଡ, ରୋଷେଇ ଘର ଓ ପାଇଖାନା କବାଟ ଆଦି ନଷ୍ଟ ହୋଇଛି । ଗୋପୀନାଥପୁର ଗ୍ରାମର ଭରତ ଦାଶଙ୍କ ଘର ଉପରେ ଏକ ବଡ ପୁଟିଆ ଗଛ ଉପୁଡି ପଡିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ବେଳେ ତାର ଛିଡି ଯାଇଥିବା ଦେଖାଯାଇଛି । ଡେପୁଟି କଲେକଟର ତନ୍ମୟ କୁମାର ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ସାରା ହେମ୍ବ୍ରମ୍‌, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ମଙ୍ଗଳ ଅଧିକାରୀ ନିଶାକର ଖୁଣ୍ଟିଆ, ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ ପତି, ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ ପ୍ରମୁଖ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ