ଓରାଳି ଗ୍ରାମରୁ ଜବରଦଖଲ କେବିନକୁ ଉଠାଇଲା ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗ୍ରାମର ମେତିକାଲ ରାସ୍ତା କଡ଼ରେ ବୃନ୍ଦାବନ ଜେନାଙ୍କ ପୁଅ ଶ୍ରୀକାନ୍ତ ଜେନା ଏକ ସରକାରୀ ଜାଗାକୁ ଜବରଦଖଲ କରି ଏକ କେବିନ ପକାଇ ଦେକାନ କରିଥିଲା। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ସେ ୬ନଂ ୱାର୍ଡର ଲୋକ ହୋଇଥିବା ବେଳେ ୫ନଂ ୱାର୍ଡରେ ବେଆଇନ ଜବରଦଖଲ କରି କେବିନ ପକାଇବାକୁ ସାହି ଲୋକମାନେ ତହସିଲରେ ଅଭିଯୋଗ କରି ଉଚ୍ଛେଦ କରିବାକୁ ୨ବର୍ଷ ହେଲା ଦାବି କରି ଆସୁଥିଲେ। ତହସିଲ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ବାରମ୍ବାର ନୋଟିସ ଦିଆଯାଇଥିଲେ ମଧ୍ୟ ଶ୍ରୀକାନ୍ତ କେବିନ ଉଠାଇ ନଥିଲେ। ଆଜି ତହସିଲଦାର ହାବିଲ ଖାଖା ପୁଲିସ ଫୋର୍ସ ସହ ପହଞ୍ଚି ହିଟାଚି ମେସିନ ସାହାଯ୍ୟରେ କେବିନଟିକୁ ହଟାଇ ଦେଇଛନ୍ତି। ଗ୍ରାମର ଅନେକ ସ୍ଥାନରେ ସରକାରୀ ଜମି ଜବରଦଖଲ କରି ଦୋକାନ କରାଯାଇ ଥିଲେ ମଧ୍ୟ ସେଗୁଡିକୁ କାହିଁକି ହଟାଯାଉନାହିଁ ବୋଲି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି।


