ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀଙ୍କ ମରୁଡି, ଉନ୍ନୟନ କାର୍ଯ୍ୟ ପ୍ରଭାବିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନରେ ବହୁଦିନ ହେଲା ବିଭିନ୍ନ ଯନ୍ତ୍ରୀଙ୍କ ପଦବି ଖାଲି ପଡ଼ିଛି। କର୍ମଚାରୀ ନ ଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଭାବେ ପ୍ରଭାବିତ ହୋଇଛି. ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନକୁ ନେଇ ମୋହନା ଡିଭିଜନ ଗଠିତ ହୋଇଛି. ଏହି ଡିଭିଜନରେ ୩ ଜଣ ସହକାରୀ ନିର୍ବାହୀଯନ୍ତ୍ରୀ, ୬ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି। ସେଥିରୁ ମୋହନା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଦୁଇଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା କିନ୍ତୁ ଏଠାରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ଅଛନ୍ତି। ମୋହନାରେ କନିଷ୍ଠଯନ୍ତ୍ରୀଙ୍କ ପଦବି ଖାଲି ପଡିଛି । ସେହିପରି ଗତ ୬ ମାସ ହେଲା ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଉଠିଯାଇଥିବା ବେଳେ ଏବେ କାର୍ଯ୍ୟାଳୟଟି ଭୂତକୋଠି ପାଲଟିଛି. ଆର.ଉଦୟଗିରି ସବ୍‌ଡିଭିଜନ୍ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ବଦଳେ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟାଳୟ ଚାଲିଛି । ଏଠାରେ ମଧ୍ୟ ବହୁଦିନ ହେଲା ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ପଦବି ଖାଲି ପଡ଼ିଛି। ସେହିପରି ନୂତନ ଭାବେ ଗଠିତ ନୂଆଗଡ ସବ୍‌ଡ଼ିଭିଜନ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ। ଆର,ଉଦୟଗିରି କାର୍ଯ୍ୟାଳୟରେ ଏହାର ସମସ୍ତ କାର୍ଯ୍ୟ ଚାଲିଛି। ଏଠାରେ ମଧ୍ୟ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା। କିନ୍ତୁ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀ ନିଯୁକ୍ତ ଅଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଗୋଟିଏ କନିଷ୍ଠଯନ୍ତ୍ରୀ ପଦ ଖାଲି ପଡ଼ିଛି। ମୋହନା ଆର୍‌ଡି ଡିଭିଜନ୍ ଏକ ବଡ଼ ଡିଭିଜନ୍ ହୋଇଥିବା ବେଳେ ଏହା ଅଧୀନରେ ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ବ୍ଳକ୍ ରହିଛି। ଭୌଗୋଳିକ ଦୃଷ୍ଟିରୁ ତିନୋଟି ଯାକ ବ୍ଲକ୍ ଅଧିକାଂଶ ଦୁର୍ଗମ ଅଞ୍ଚଳ । ଅନେକ ଗାଁକୁ ଏବେ ବି ରାସ୍ତା ନିର୍ମାଣ ହୋଇପାରିନି। ଯେଉଁଠି ରାସ୍ତା ନିର୍ମାଣ ହୋଇଛି ତାହାବି ଖରାପ ହୋଇଗଲାଣି। ଏଭଳି ସ୍ଥିତିରେ କର୍ମଚାରୀ ଅଭାବ ଯୋଗୁଁ ଏହି ଡିଭିଜନ୍ ସ୍ଥାଣୁ ପାଲଟିଛି. ଏହାକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ଯନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ